ହସଖୁସିର ସଂସାରରେ ଦୁଃଖର କଳାବାଦଲ  : ସ୍ୱାମୀ ଆଖିକୁ ଦିଶୁନି, ସ୍ତ୍ରୀ କର୍କଟ ରୋଗାକାନ୍ତ,  ସ୍ତ୍ରୀର ଚିକିତ୍ସା ପାଇଁ ଦୃଷ୍ଟିହୀନ ସ୍ୱାମୀର ଆକୁଳ ନିବେଦନ

864
କନକ ବ୍ୟୁରୋ :  ସୁଖର ସଂସାର ଉପରେ ଦୁଃଖର କଳାବାଦଲ । ସ୍ୱାମୀ ଦୃଷ୍ଟିହୀନକୁ ସ୍ତ୍ରୀ କର୍କଟ ରୋଗାକାନ୍ତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହି କରୁଣ କାହାଣୀ ହେଉଛି ବାଲେଶ୍ୱର ଲଙ୍ଗଳେଶ୍ୱର ଗ୍ରାମର ବିଷ୍ଣୁପଦ ବେହେରାଙ୍କର । ଦୁଇ ପୁଅ, ସ୍ତ୍ରୀକୁ ନେଇ ଖୁସିରେ ଚାଲିଥିଲା ବିଷ୍ଣୁପଦଙ୍କ ସୁଖର ସଂସାର । ହେଲେ ଏବେ ଗରିବ ରୋଗାକ୍ରାନ୍ତ ପରିବାର ପାଇଁ ସତେ ଯେମିତି ବଇରୀ ସାଜିଛି ଦଇବ । ସେ ନିଜେ ଦୃଷ୍ଟିହୀନ ହୋଇଥିବା ବେଳେ ସ୍ତ୍ରୀ କର୍କଟ ଭଳି ଦୁରାରୋଗ୍ୟ ରୋଗରେ ପଡ଼ି ଜୀବନ ସହ ସଂଗ୍ରାମ କରୁଛନ୍ତି ।

ବାଲେଶ୍ୱର ବାଲିଆପଳର ବ୍ଲକ୍ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମର ବାସିନ୍ଦା ବିଷ୍ଣୁପଦ ବେହେରା । ବସରେ ଡ୍ରାଇଭର ଭାବେ ଚାକରି କରି ଦୁଃଖେକଷ୍ଟେ ତେଲଲୁଣର ସଂସାର ଚଳାଉଥିଲେ । ହେଲେ ଚାରି ବର୍ଷ ପୂର୍ବରୁ ହଠାତ୍ ତାଙ୍କର ଆଖି ଫୁଲିଥିଲା । ଆଉ କିଛି ଦିନ ମଧ୍ୟରେ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଆଖିକୁ ବି ଆଉ ଦେଖାଯାଉନି । ଦିନେ ଶହ ଶହ ଲୋକଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇଥିବା ଲୋକ, ଅଚାନକ୍ ଅଲୋଡ଼ା ପାଲଟିଗଲା । ଆଖି ହରାଇବସିବାରୁ ସେ କୌଣସି କାମ କରିବାରେ ସକ୍ଷମ  ହୋଇପାରିଲେନି । ତାଙ୍କ ପରେ ପରିବାର ବୋଝ ସ୍ତ୍ରୀ ସୁକାନ୍ତିଙ୍କ ଉପରେ ପଡ଼ିଲା । ହାର ନମାନି ବିଷ୍ଣୁପଦଙ୍କ ସ୍ତ୍ରୀ କଷ୍ଟେମଷ୍ଟେ ଘର ଚଳାଉଥିଲେ । ହେଲେ ଏତିକିରେ ତାଙ୍କର ଦୁଃଖ ସରିଲାନି । ସୁକାନ୍ତିଙ୍କ କର୍କଟ ଗ୍ରାସ କଲା ।
ଅର୍ଥ ଅଭାବରୁ ଏବେ ଘରେ ପଡ଼ିରହିଛନ୍ତି ସୁକାନ୍ତି । ସୁକାନ୍ତିଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ । ତାଙ୍କ ଚିକିତ୍ସା ପାଇଁ ସମସ୍ତ ଜମିବାଡ଼ି ଓ ଘରର ମୂଲ୍ୟବାନ ଆସବାବପତ୍ର ବିକ୍ରି ସରିଛି । ପାଖରେ ଏବେ କାଣିକଉଡ଼ି ଟିଏ ବି ନାହିଁ । ବାଧ୍ୟ ହୋଇ ଶେଷରେ କଟକରେ ଚିକିତ୍ସିତ  ହେଉଥିବା ସୁକାନ୍ତିଙ୍କ ଘରକୁ ନେଇ ଆସିଛନ୍ତି ବିଷ୍ଣୁପଦ । ଅର୍ଥ ଅଭାବରୁ ପିଲାଙ୍କ ପାଠପଢ଼ାରେ ଡୋର ବନ୍ଧା ହୋଇଛି । ପଲିଥିନ୍ ଟଣା ଘରେ ଭୋକଉପାସରେ ପଡ଼ି ରହିଛନ୍ତି ପୁରା ପରିବାର । ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବା ସହ ପରିବାର ଭରଣପୋଷଣ ପାଇଁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି ।
ଖୁବ ଶୀଘ୍ର ବିଷ୍ଣୁପଦଙ୍କ ପାଇଁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଓ ଚିକିତ୍ସା ପାଇଁ ଅର୍ଥବ୍ୟବସ୍ଥା କରାଯିବ ବୋଲି  ଆଶ୍ୱସନା ଦେଇଛନ୍ତି ବାଲିଆପଳ ଭାରାପ୍ରାପ୍ତ ଭାରାପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।  ସ୍ତ୍ରୀର ଚିକିତ୍ସା ପାଇଁ ଅର୍ଥାଭାବ ଥିବାରୁ ସହାୟତା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ, ବାଦାନବ୍ୟକ୍ତି ବିଶେଷ ଏବଂ ସରକାରଙ୍କୁ ନିବେଦନ କରିଛନ୍ତି  ବିଷ୍ଣୁପଦ ।