ଜେଲକୁ ଭଲ ପାଉଥିବା ନିଆରା ମଣିଷ ! ମୁକୁଳିବା ପରେ ପୁଣି କରନ୍ତି ଅପରାଧ

56

କନକ ବ୍ୟୁରୋ : ସାଧାରଣତଃ ଜେଲକୁ ନେଇ ଆମ ମାନଙ୍କ ଭିତରେ ଏକ ଭୟ ଥାଏ । ଜେଲ କଥା ଭାବିଲା ବେଳକୁ ମନକୁ ଚାଲିଆସେ କାଳକୋଠରୀର ଏକ ଚିତ୍ର । ହେଲେ ଆମେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏ, ଘର ଅପେକ୍ଷା ଜେଲକୁ ଅଧିକ ନିଜର ଭାବନ୍ତି । ଯିଏ ଜେଲ ଯିବା ପାଇଁ ଅପରାଧ କରନ୍ତି । ଆଉ ଜେଲରୁ ମୁକୁଳିଲେ ପୁଣି ଅପରାଧ କରନ୍ତି । ସେ ପେଶାଦାର ଅପରାଧୀ ନୁହଁନ୍ତି ।

ତାଙ୍କ ଅପରାଧ କରିବାର ମୂଳ ଉଦ୍ଦ୍ୟେଶ ହେଉଛି ଅଧିକରୁ ଅଧିକ ସମୟ ଜେଲରେ କଟାଇବା । ଖାଇବା ଏବଂ ରହିବା ଦୃଷ୍ଟିରୁ ଜେଲକୁ ସର୍ବେକୃଷ୍ଟ ସ୍ଥାନ ଭାବୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଦୁଃଖିଶ୍ୟାମ ପାତ୍ର । ଘର ଭୁବନେଶ୍ୱରରେ, ହେଲେ ରୁହନ୍ତି ବ୍ରହ୍ମପୁର ଗାନ୍ଧୀ ନଗର ଅଂଚଳରେ । ପୁଅମାନେ ଭୁବନେଶ୍ୱରରେ ବେଶ ପ୍ରତିଷ୍ଠିତ ବ୍ୟବସାୟୀ ।

ହେଲେ ନା’ ପୁଅ ମାନଙ୍କ ପାଖରେ ରହିବାକୁ ଚାହୁଁଛନ୍ତି ନା’ ସଂପର୍କୀୟଙ୍କ ଘରେ ରହୁଛନ୍ତି । ଆଉ ଜେଲରେ ରହିବା ପାଇଁ ବାରମ୍ବାର ଛୋଟିଆ ମୋଟିଆ ଅପରାଧ କରୁଛନ୍ତି । ଆଉ ବାରମ୍ବାର ଜେଲ ଯିବା ପାଇଁ କିଛି ନା କିଛି ରାସ୍ତା ଖୋଜନ୍ତି । ସ୍ୱଭାବରେ ଖୁବ୍ ଶାନ୍ତ ସ୍ୱଭାବର ଏବଂ ଜେଲରେ ଅତି ଭଦ୍ର ବ୍ୟବହାର କରୁଥିବା ଦୁଃଖୀଶ୍ୟାମଙ୍କ ସଂପର୍କରେ ଜେଲ ଅଧିକାରୀ କହୁନ୍ତି ସେ ବର୍ତ୍ତମାନ ଜେଲ୍ ବାର୍ଡ ।

୨୦୧୧ ମସିହାରେ ଜିଲ୍ଲାଜଜଙ୍କ ଗାଡ଼ି ଭାଙ୍ଗି ଜେଲ ଯାଇଥିବା ବେଳେ ୨୦୦୮ରେ ସଢୁଙ୍କୁ ଆକ୍ରମଣ କରି ଜେଲ ଯାଇଥିଲେ । ଆଉ ଦୁଇ ଦିନ ଆଗରୁ ଜେଲରୁ ବାହାରିବା ପରେ ପୁଣି ସେ ଜିଲ୍ଲାଜଜଙ୍କ ଗାଡ଼ି ଭାଙ୍ଗି ପୁଣି ଜେଲ ଯିବା ପାଇଁ ବାଟ ବାହାର କରିଛନ୍ତି । ଜେଲର କାଳକୋଠରୀକୁ ନର୍କଦଣ୍ଡ ସହ ତୁଳନା କରାଯାଉଥିବା ବେଳେ ଦୁଃଖିଶ୍ୟାମଙ୍କ ଏଭଳି ଆଚରଣ ଏବେ ସମସ୍ତଙ୍କୁ ଚକିତ କରିଛି ।