ଭିଡ଼ ଭିତରର ନିଆରା ମଣିଷ : ଆଖି ନାହିଁ ସିନା ହେଲେ ପିଲାଙ୍କର ଭାରି ପ୍ରିୟ, ବହୁମୁଖୀ ପ୍ରତିଭାର ଅଧିକାରୀ ଗୋଲେଖ ସାର

480

କନକ ବ୍ୟୁରୋ : ଭିଡ଼ ଭିତରର ନିଆରା ମଣିଷ ଟିଏ । ପିଲାଙ୍କର ଅତି ପ୍ରିୟ ଗୋଲେଖ ସାର୍ । ଦିନେ ନଆସିଲେ,  ପ୍ରିୟ ସାରଙ୍କୁ ଖୋଜି ବୁଲନ୍ତି ପିଲାମାନେ । ତାଙ୍କର ଆଖି ନାହିଁ ସିନା ହେଲେ ଖୁବ ଭଲ ପାଠ ପଢ଼ାନ୍ତି । ଦୃଷ୍ଟିହୀନ ହୋଇ ବି କୁନି କୁନି ପିଲାଙ୍କୁ ଜ୍ଞାନର ଆଲୋକ ବାଣ୍ଟୁଛନ୍ତି କେନ୍ଦ୍ରାପଡ଼ା ସାହୁପଡ଼ା ଗାଁର ଗୋଲଖ ସାର । ବହୁମୁଖୀ ପ୍ରତିଭାର ଅଧିକାରୀ ସିଏ । ପିଲାଙ୍କୁ ପାଠ ପଢ଼ାଇବା ସହ ଗୀତ ଗାଇବା, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ସେ ଉଚ୍ଚଶିକ୍ଷିତ ହେବା ସହ ଆତ୍ମନିର୍ଭରଶୀଳ, ମିଷ୍ଟଭାଷୀ ଓ ମେଳାପୀ ମିଣଷଟିଏ । ସହଯୋଗୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ସମସ୍ତଙ୍କ ପାଇଁ ସେ ଜଣେ ପ୍ରେରଣାଦାୟୀ ମଣିଷ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡ଼ାର ଗୋଲେଖ କୁମାର ମହାନ୍ତି । ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ କେବେ ହାରିନାହାନ୍ତି । ଜୀବନଯୁଦ୍ଧରେ ଏକା ଏକା ଯୋଦ୍ଧା ସାଜି ବିପରୀତ ପରିସ୍ଥିତିକୁ ଜିତି ପାରିଛନ୍ତି । ସବୁ ବାଧାବିଘ୍ନକୁ ଆଡ଼ କରି ଅବିରତ ପରିଶ୍ରମ କରିଚାଲିଛନ୍ତି । ୨୦୦୬ ମସିହାରୁ ସାହୁପଡ଼ା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ପିଲାଙ୍କୁ ସାହିତ୍ୟ, ଇତିହାସ, ଭୁଗୋଳ ଆଦି ବିଷୟ ପଢ଼ାଇବା ସହ କ୍ୱିଜ୍, ନୀତିଶିକ୍ଷା ମଧ୍ୟ ଦେଇଥାଆନ୍ତି । ଖାଲି ଯେ ସେ ଜଣେ ଭଲ ଶିକ୍ଷକ , ତାନୁହେଁ ଭଲ ମଣିଣ ଜଣେ ମଧ୍ୟ । ଗାଁ କୀର୍ତ୍ତନ ମଣ୍ଡଳୀରେ ଗୀତ ଗାଇବା ସହିତ ତବଲା, ଖୋଳତାଳ, ମୃଦଙ୍ଗ ବାଦନରେ ବି ସିଦ୍ଧହସ୍ତ । ଏହାସହ ଚେୟାର ବୁଣାକାମ, ମହମବତୀ ତିଆରି କରିବା ଆଦି ମଧ୍ୟ ସେ ଶିଖିଛନ୍ତି ।

ଗୋଲେଖ କୁମାର ମହାନ୍ତି ବିବାହିତ । ଦୁଇଟି ପିଲାର ବାପା । ପରିବାର ସାଙ୍ଗକୁ ନିଜ ଦାୟିତ୍ୱ ନିଜେ ଉଠାଇବାରେ ସକ୍ଷମ ।  ଆଉ ଏକ ସବୁଠାରୁ ବଡ଼ କଥା ହେଲା, ଦେଖି ପାରୁନଥିଲେ ମଧ୍ୟ ସେ ଖୁବ ଭଲ ଭାବରେ ଆଣ୍ଡ୍ରୋଏଡ଼୍ ଫୋନ୍ ଚଳାଇ ପାରନ୍ତି । ।ଶା ବାଡ଼ି ଖଣ୍ଡକ ଧରି ଆଜିର ଦୁନିଆପାଇଁ ଉଦାହରଣ ସଜିଛନ୍ତି ଗୋଲେଖ ସାେ । ଛାତ୍ରଛାତ୍ରୀଙ୍କ ପ୍ରିୟ ହେବା ସହ ତାଙ୍କର ଉତ୍ତମ ବ୍ୟବହାର ପାଇଁ ଗାଁ ଲୋକେ ମଧ୍ୟ ତାଙ୍କୁ ବେଶ ଭଲପାଆନ୍ତି । ତାଙ୍କୁ ନେଇ ଗର୍ବକରନ୍ତି ସାହୁପଡା ଗାଁ ଲୋକେ ।