କନକ ବ୍ୟୁରୋ : ଜଣେ କି ଦୁଇ ଜଣ ନୁହେଁ । ହଜାର ହଜାର ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରାଇ ବଞ୍ଚିବାର ରାସ୍ତା ଦେଖାଇଛନ୍ତି ଜଣେ ଆଦିବାସୀ ମହିଳା । ପଲ୍ଲୀରୁ ଦିଲ୍ଲୀ ଯାଏ ମହିଳାମାନଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ । କେତେବେଳେ କିଟିକିଟି ଅନ୍ଧାର ଭରା ଜଙ୍ଗଲୀ ଗାଁରୁ ଦିଲ୍ଲୀ ଯାଇ ନିଜ ସଫଳତାର ମନ୍ତ୍ର ଦେଉଛନ୍ତି ତ ପୁଣି କେତେବେଳେ ଦେଶର କୋଣ ଅନୁକୋଣରୁ ବିଭିନ୍ନ ବର୍ଗର ଲୋକେ ଛୁଟି ଆସୁଛନ୍ତି ତାଙ୍କ ସଫଳତାର କାହାଣୀ ଜାଣିବା ପାଇଁ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବର ଜଙ୍ଗଲଘେରା ଖିଲାରୀ ପାହାଡ଼ରେ ରହୁଛନ୍ତି ଦ୍ରୌପଦୀ ତିରିଆ(୪୦) ନାମ୍ନୀ ଜଣେ ଆଦିବାସୀ ମହିଳା। ଟସର ଚାଷ କରି ନିଜେ ଲକ୍ଷପତି ହେବା ସହ ହଜାର ହଜାର ମହିଳାଙ୍କୁ ଆର୍ଥିକ ସ୍ବଚ୍ଛଳ ହେବାର ରାସ୍ତା ଦେଖାଇ ସମଗ୍ର ଦେଶରେ ଆର୍ଥିକ ଅନଗ୍ରସର ମହିଳାଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ।
ଆଦିବାସୀ ମହିଳା ଦ୍ରୌପଦୀ ତିରିଆଙ୍କ କାହାଣୀ ଏମିତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ଭରା । ଏହି ଜଙ୍ଗଲ ଭିତରେ ରହିଛି ଖିଲାରୀ ପାହାଡ଼। ଏହି ପାହାଡ଼ରେ ରୁହନ୍ତି ଦ୍ରୌପଦୀ । ସେ ଅଖିଳ ତିରିଆଙ୍କୁ ୧୯୯୧ ମସିହାରେ ବିବାହ ପରେ ଦିନକୁ ଦୁଇ ଓଳି ଖାଇବାକୁ ମିଳିବା କଷ୍ଟକର ଥିଲା । ପରିବାରର ଆର୍ଥିକ ସ୍ଥିତି ସଜାଡ଼ିବାକୁ ଅଣ୍ଟା ଭିଡ଼ିଥିଲେ ଦ୍ରୌପଦୀ । ନିଜ ଘର ଚାରିପାଖରେ ଥିବା ପାହାଡରେ ଅସନ ଓ ଅର୍ଜୁନ ଗଛ ଲଗାଇ ଆରମ୍ଭ କରିଥିଲେ ଟସର ଚାଷ । ଏବେ ସେ ବର୍ଷକୁ ଟସର ଚାଷରୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ।
ତାଙ୍କ ଘର ପାଖରେ ଥିବା ଗାଁଗୁଡିକର ହଜାର ହଜାର ମହିଳା ଏବେ ଟସର ଚାଷ ପାଇଁ ଆଗେଇ ଆସିଛନ୍ତି । ପୂର୍ବରୁ ନିକଟସ୍ଥ ଗ୍ରାମର ମହିଳାମାନେ ବର୍ଷ ତମାମ ଅଭାବ ଅନଟନରେ ଦିନ କାଟୁଥିବା ବେଳେ ଏବେ ସେମାନଙ୍କ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବଦଳି ଗଲାଣି। ନିକଟସ୍ଥ ଦୁଧପାଣି ସାହି, ପୋଖରୀଖସଡା, ରେଣ୍ଟା ସାହି, କେନ୍ଦୁପାତଳୀ, ଖସାପଦା, ମେରୁ ଖମଣ ପଞ୍ଚମ, ଖଜୁରିଆପଞ୍ଚମ, ଡିହପାଳ ଭଳି ଗାଁର ହଜାର ହଜାର ମହିଳା ଏବେ ପାଲଟି ଯାଇଛନ୍ତି ଟସର ଚାଷୀ ।
ଦ୍ରୌପଦୀଙ୍କ ଏହି ସଫଳତାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବି ପ୍ରଭାବିତ। ଏଥିପାଇଁ କେନ୍ଦ୍ର ସରକାର ତାଙ୍କୁ ଦେଇଛନ୍ତି ‘ଓମେନ୍ ଆଚିଭର ଆୱାର୍ଡ’। ସେହିପରି ଓଡ଼ିଶା ସରକାରଙ୍କଠାରୁ ଆରମ୍ଭ କରି ଝାଡ଼ଖଣ୍ଡ ରାଜ୍ୟପାଳ ବି ପରସ୍କୃତ କରିଛନ୍ତି । ଦ୍ରୌପଦୀଙ୍କ ଏହି ସଂଘର୍ଷ ଓ ସଫଳତା ସଂପର୍କରେ ଭଗାମୁଣ୍ଡା ଟସର ଚାଷୀ ସମବାୟ ସମିତିର ସଂପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର କହିଛନ୍ତି, ଏକ ଘଞ୍ଚ ଜଙ୍ଗଲରେ ଭିତରେ ରହି ନିଜର ଆର୍ଥିକ ସ୍ବାଧୀନତାର ବାଟ ଫିଟାଇବା ସହ ସେ ଅନ୍ୟମାନଙ୍କୁ ସେହି ରାସ୍ତାରେ ଯିବା ପାଇଁ ବାଧ୍ୟ କରିଛନ୍ତି । ସେହିପରି ରେଶମ ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି, ଦ୍ରୌପଦୀ କେବଳ ନିଜେ ସଫଳ ହୋଇ ନାହାନ୍ତି, ବରଂ ହଜାର ହଜାର ମହିଳାଙ୍କ ଜୀବନଶୈଳୀ ପରିବର୍ତ୍ତନ ପାଇଁ ରାସ୍ତା ଦେଖାଇଛନ୍ତି ।