କ୍ୟାନସର ପୀଡ଼ିତ ଅନାଥଙ୍କ ଅତିପ୍ରିୟ ‘ଗୀତୁ ମା’ । ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ମଣିଷ ଟିଏ । କର୍କଟ ପୀଡ଼ିତ ଶିଶୁଙ୍କ ସେବାରେ ପୂରା ଜୀବନ ସମର୍ପିତ । ୧୨ ବର୍ଷ ଧରି କୁନି ମୁହଁରେ ଖୁସି ବାଣ୍ଟୁଛନ୍ତି ଚେନ୍ନାଇର ଗୀତା ଶ୍ରୀଧର ।

277

କନକ ବ୍ୟୁରୋ : ମାନବ ସେବା ହିଁ ମାଧବ ସେବା । ଦୁଃସ୍ଥ, ନିରାଶ୍ରୟ ରୋଗୀଦୁଃଖୀଙ୍କୁ ସାହାଯ୍ୟ କଲେ ମିଳୁଥିବା ଆତ୍ମତୃପ୍ତି, କୌଣସି ଅମୂଲ୍ୟ ଚିଜରେ ନଥାଏ । ଆଉ ଏହି କଥାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି କ୍ୟାନସର ପୀଡ଼ିତଙ୍କ ଅତିପ୍ରିୟ ‘ଗୀତୁ ମା’ । ଅସହାୟ କ୍ୟାନସର ପୀଡ଼ିତ ଶିଶୁଙ୍କ ଏକମାତ୍ର ସାହାଭରସା । ଘର ପରିବାର ଆଡ଼େଇ ଦେଇଥିବା ଅସହାୟଙ୍କ କୁନି ପିଲାଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେଇଛନ୍ତି ଏହି ମହାନ୍ ମହିଳା  । ଆଉ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ତାଙ୍କ ସ୍ୱାମୀ ।

ମା’ବାପା ନଥିବା ଅସହାୟ ପିଲାଙ୍କ ଯଶୋଦା ମା’ ଗୀତା ଶ୍ରୀଧର । ନିଜର ନୁହେଁ କିନ୍ତୁୁ ନିଜ ମା’ ଠାରୁ ବଡ଼ । ୨୮ ଜଣ କ୍ୟାନସର ପୀଡ଼ିତ ଅନାଥ ଶିଶୁଙ୍କ ଗୀତୁ ମା’ ସ୍ୱାର୍ଥପର ଦୁନିଆରେ ଏପରି ନିସ୍ୱାର୍ଥପର ମଣିଷ ଟିଏ ମିଳିବା ମୁସ୍କିଲ । ବୈବାହିକ ଜୀବନ କଥା ଚିନ୍ତା ନକରି ଅନାଥ ପିଲାଙ୍କ ସେବାରେ ବ୍ରତୀ । ତେବେ ଗୀତା ଶ୍ରୀଧରରୁ ଗୀତୁ ମା’ର ଯାତ୍ରା ପଛରେ ଲୁଚି ରହିଛି ଏକ ରୋଚକ କାହାଣୀ ।

ଥରେ ଏକ ଅନାଥାଶ୍ରମକୁ ଯାଇଥିବା ବେଳେ କ୍ୟାନସର ପୀଡ଼ିତ ଶିଶୁଙ୍କ ଯନ୍ତ୍ରଣା ଜର୍ଜରିତ ଜୀବନକୁ ଦେଖି ସହିପାରିନଥିଲେ ଗୀତା ।  ସେଠାରେ ରହୁଥିବା ୨ରୁ ୫ ବର୍ଷର କୁନି କୁନି ଶିଶୁଙ୍କ ଅସହାୟ ମୁହଁ ଗୁଡ଼ିକ ରାତିରେ ତାଙ୍କୁ ଶାନ୍ତିରେ ଶୁଆଇ ଦେଇନଥିଲା । କେମୋ ନେଉଥିବା କୁନି କୁନି ଶିଶୁଙ୍କୁ କାନ୍ଦଣା କାନରେ ବାରମ୍ବାର ଶୁଭୁଥିଲା । ତେବେ ସେହି ଅସହାୟ ପିଲାଙ୍କୁ ସାହାଯ୍ୟ କରିବାକୁ ମନେ ମନେ ସ୍ଥିର କରିଥିଲେ ଗୀତା । ଆଉ ସେହିଦିନ ଠାରୁ କ୍ୟାନସର ପୀଡ଼ିତ ପିଲାଙ୍କ ପାଇଁ ସେ ସାଜିଗଲେ ଗୀତୁ ମା’ ।

ଆଉ ତା’ପରେ ଆଶ୍ରମର ସମସ୍ତ କ୍ୟାନସର ପୀଡ଼ିତ ଶିଶୁଙ୍କୁ ନେଇ ସେମାନଙ୍କର ଉତ୍ତମ ଚିକିତ୍ସା ପାଇଁ ଚାଲିଗଲେ ମୁମ୍ବାଇ । ସେଠାରେ ଥିବା ନିଜ ଫ୍ଲାଟରେ ପିଲାଙ୍କୁ ସେମାନଙ୍କ ସେବାଯତ୍ନ କରିବା ଆରମ୍ଭ କରିଦେଇଥିଲେ । ଅନାଥ ପିଲାଙ୍କ ପାଇଁ ନିଜକୁ ସମର୍ପି  ଦେଇଥିଲେ । ତେବେ ଏସବୁ ଭିତରେ କୁନି ପିଲାଙ୍କ କେମୋଥେରାପି ଓ ଚିକିତ୍ସା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା, ସବୁ ଖର୍ଚ୍ଚ ଉଠାଉଥିଲେ ଗୀତାଙ୍କ ସ୍ୱାମୀ । ବିଗତ ୧୨ ବର୍ଷ ଧରି ଏହି ଅନାଥ ପିଲାଙ୍କ ସେବାରେ ଜୀବନ ବିତାଉଛନ୍ତି ଗୀତା ।

ତେବେ କ୍ୟାନସର ପୀଡ଼ିତଙ୍କ କୁନି କୁନି ପିଲାଙ୍କୁ ସାହାଯ୍ୟ କରିବା ସହ ବିଗତ କିଛି ବର୍ଷ ମଧ୍ୟରେ ଗୀତା କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ଏକ ଫୁଡ଼ବ୍ୟାଙ୍କ୍ ମଧ୍ୟ ଖୋଲିଛନ୍ତି । ଆଉ ଏଠାରେ ବେସାହାରା, ନିରାଶ୍ରୟ ପିଲାଙ୍କୁ ମାଗଣାରେ ଖାଇବା ଦିଆଯାଉଛି ।