ସ୍ୱଚ୍ଛ ଓ ସୁନ୍ଦର ହେବ ପୁରୀ ସ୍ୱର୍ଣ୍ଣାଭ  ବେଳାଭୂମି : ପ୍ରଶାସନ ପକ୍ଷରୁ ଚାଲିଛି ସଫେଇ ଅଭିଯାନ, ସାମିଲ ଅଛନ୍ତି ବଲିଉଡ଼୍ ଓ ଓଲିଉଡ଼୍ କଳାକାର

404

କନକ ବ୍ୟୁରୋ : ସ୍ୱଚ୍ଛ ହେବ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି । ସ୍ୱର୍ଣ୍ଣାଭ ବେଳାଭୂମିରେ ଦେଖିବାକୁ ମିଳିବନି ମଇଳା, ଆବର୍ଜନା ଆଉ ପ୍ଲାଷ୍ଟିକ୍ ବୋତଲ । ବେଳାଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ଗଢ଼ି ତୋଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପୁରୀକୁ ପ୍ରତିଦିନ ଦେଶ ବିଦେଶରରୁ ହଜାର ହଜାର ପର୍ଯ୍ୟଟକ  ଛୁଟିଆସନ୍ତି । ପ୍ରଥମ ଆକର୍ଷଣ ହେଲା ଓଡ଼ିଶା ଜାତିର ପ୍ରାଣକେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଆଉ ଅନ୍ୟଟି ବେଳାଭୂମିରେ ସମୟ ବିତାଇବା । ଶ୍ରୀକ୍ଷେତ୍ରରେ ପାଦ ଥାପିବା ପରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ମହାପ୍ରଭୁଙ୍କ ଦର୍ଶନଲାଭ ପରେ ଛୁଟିଯାଆନ୍ତି ବେଳାଭୂମିର ନୈସର୍ଗିକ ଶୋଭାରାଜି ଉପଭୋଗ କରିବାକୁ । ତେବେ ପୁରୀରେ ପର୍ଯ୍ୟଟକ ସଂଖ୍ୟା ଯେତିକି ବଢ଼ୁଛନ୍ତି, ବେଳାଭୂମିରେ ପ୍ରଦୂଷଣ ମଧ୍ୟ ବଢ଼ିଚାଲିଛି । ଆଉ ଏଥିପାଇଁ ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମିରେ ଚାଲିଛି ବଡ଼ ଧରଣର ସଫେଇ ଅଭିଯାନ ।

ନୂଆରୂପ ପାଇବ ପୁରୀ ବେଳାଭୂମି । ସବୁଠୁ ସ୍ୱଚ୍ଛ ହେବ ମୋ ବିଚ୍ । ଆବର୍ଜନା ମୁକ୍ତି ହେବ ପୁରୀ ବେଳାଭୂମି । ପ୍ଲାଷ୍ଟିକ୍ ମୁକ୍ତ ବେଳାଭୂମି ସହ ଚାଲିଛି ଜିଲ୍ଲା ପ୍ରଶାସନର ମୋ ବିଚ୍ ଅଭିଯାନ । ଅସ୍ତରଙ୍ଗରୁ ଅରଖକୁଦା ପର୍ଯ୍ୟନ୍ତ ଚାଲିଛି ସଫେଇ ଅଭିଯାନ । ପୁରୀ ଜିଲ୍ଲାର ପ୍ରାୟ ୧୦୦ କିଲୋମିଟର ବ୍ୟାପୀ ବେଳାଭୂମିରେ ଏକାଠି ହେଉଛନ୍ତି ଦଶ ହଜାର ଲୋକ । ଉପକୂଳିଆ ଲୋକଙ୍କ ସହ ବଲିଉଡ଼୍ ଓ ଓଲିଉଡ଼୍ ସିନେ ତାରକା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଆଜି ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା ବେଳାଭୂମି ସଫେଇ ଅଭିଯାନ ।

ବିଭିନ୍ନ ସମୟରେ ପୁରୀରେ ଆବର୍ଜନା ନିଷ୍କାସନକୁ ନେଇ ଅନେକ ସମସ୍ୟା ଥିବା ବେଳେ ପୁରୀ ଜିଲ୍ଳାପାଳଙ୍କ ଫୋକସରେ ରହିଛି ଆବର୍ଜନା ମୁକ୍ତ ସହର । ଏମିତିକି ପୁରୀକୁ ଡଷ୍ଟବିନ ଫ୍ରି କରିବା ପାଇଁ ଅଭିନବ ଉଦ୍ୟମ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ  ବଲୱନ୍ତ ସିଂ । ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ବେଳାଭୂମି ସଫେଇ କରିଛନ୍ତି । ଲୋକଙ୍କୁ ବେଳାଭୂମିକୁ ସଫା କରିବା ପାଇଁ ଉତ୍ସାହିତ କରିବା ସହ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି  ସୁଦର୍ଶନ ପଟ୍ଟନାୟକ।