ରାଜ୍ୟରେ ପ୍ରଥମ ଘଟଣା : ବିଦ୍ୟୁତ ଚୋରକୁ ଧରାଇ ପୁରସ୍କାର ପାଇଲେ ଯୁବକ, ଟ୍ୱିଟ କରି ସାବାସୀ ଦେଲେ ସେସୁ ସିଇଓ 

1,585

କନକ ବ୍ୟୁରୋ : ବିଦ୍ୟୁତ ଚୋର ଧରାଇଲେ, ପୁରସ୍କାର ପାଇଲେ । ବିଦ୍ୟୁତ ଚୋରକୁ ଧରାଇ ପୁରସ୍କାର ପାଇଥିବା ପ୍ରଥମ ଘଟଣା ସାମ୍ନାକୁ ଆସିଛି । ଏସକେ ରଫିକୁଦିନ ନାମକ ଜଣେ ଯୁବକ ବିଦ୍ୟୁତ ଚୋର ବିଷୟରେ ଖବର ଦେଇ ପୁରସ୍କୃତ ହୋଇଛନ୍ତି ।  ବିଦ୍ୟୁତ ଚୋରକୁ ଧରାଇବା ପରେ ସେସୁ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି । ପୁରସ୍କାର ସ୍ୱରୂପ ଜୋରିମାନାର ଅର୍ଥର ୧୦ ପ୍ରତିଶତ ତାଙ୍କୁ ପ୍ରଦାନ କରାଯାଇଛି । ଟ୍ୱିଟ ମାଧ୍ୟମରେ ସେ ନିଜେ ଏକଥା ପ୍ରକାଶ କରିଛନ୍ତି । ତେବେ ସେସୁର ସିଇଓ ଅରୁଣ ବୋଥ୍ରା ମଧ୍ୟ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ କରିଥିବା ଯୁବକଙ୍କ ଉଦ୍ଦେଶ୍ୟରେ ରିଟ୍ୱିଟ୍ କରିଛନ୍ତି ଏବଂ ତାଙ୍କୁ ସାବାସୀ ଦେଇଛନ୍ତି । 

 

ଜଣେ ଦାୟିତ୍ୱବାନ୍ ନାଗରିକର ପରିଚୟ ଦେଇଛନ୍ତି ଏସକେ ରଫିକୁଦିନ । ଏସକେ ରଫିକୁଦିନ ନାମକ ଜଣେ ଯୁବକ ବିଦ୍ୟୁତ ଚୋର ବିଷୟରେ ସେସୁ କର୍ତ୍ତୃପକ୍ଷକୁ ସୂଚନା ଦେଇଥିଲେ । ଅଭିଯୋଗ ଆଧାରରେ ବିଦ୍ୟୁତ ଚୋର ଘରେ ରେଡ଼୍ ହୋଇଥିଲା । ବିଦ୍ୟୁତ ଚୋର ଧରାଇବା ପରେ ସେ ସେସୁ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ପୁରସ୍କାର ପାଇବା ପରେ ଯୁବକ ଜଣକ ସେସୁ ସିଇଓ ଅରୁଣ ବୋଥ୍ରାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏପରି ଘଟଣାର ପୁନରାବୃତ୍ତି ହେଲେ ଲୋକେ ସଚେତନ ହେବା ସହ ବିଦ୍ୟୁତ ଚୋରି ରୋକାଯାଇପାରିବ ବୋଲି ଆଶା କରାଯାଉଛି । ଦିନକୁ ଦିନ ବଢ଼ୁଥିବା ବିଜୁଳି ଚୋରିକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ସେସୁ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା । ବିଦ୍ୟୁତ ଚୋରି ସଂକ୍ରାନ୍ତରେ ଖବର ଦେଲେ ପୁରସ୍କାର ମିଳିବ ବୋଲି କହିଥିଲେ ସେସୁ ସିଇଓ । ଏହି କ୍ରମରେ ଚୋରକୁ ଧରାଇ ଜଣେ ଯୁବକ ପୁରସ୍କାର ପାଇଛନ୍ତି ।

ରାଜ୍ୟରେ ପ୍ରଥମ ଥର ଏପରି ଘଟଣା ଘଟିଛି । ସୋସିଆଲ ମିଡ଼ିଆ ଯୁଗରେ ବିଦ୍ୟୁତ ଚୋରକୁ ଧରାଇବା ଖୁବ ସହଜ । ଜଣେ ଦାୟିତ୍ୱବାନ ନାଗରିକ ରୂପେ ସମସ୍ତ ନିଜ ନିଜ କର୍ତ୍ତବ୍ୟ କଲେ ବିଦ୍ୟୁତ ଚୋରି ରୋକିହେବ ।