ଦୁଃଖିନୀ ମା’ର ସୁନା ପୁଅ : ସଙ୍ଘର୍ଷ ଓ ସଫଳତାର କାହାଣୀ ଲେଖିଲେ କନ୍ଧମାଳର ଯୁବକ କାହ୍ନୁ, ପରିବା ବିକାଳିଙ୍କ ପୁଅ ଆଜି ବିହାର ପାଟଣାର ଆଞ୍ଚଳିକ ଶ୍ରମ କମିଶନର

1,120

କନକ ବ୍ୟୁରୋ : ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ଆତ୍ମବିଶ୍ୱାସ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଦିଏ । ସବୁ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତି ହାର ମାନେ । ଏହାକୁ ସତ୍ୟ ପ୍ରମାଣିତ କରିଛନ୍ତି କନ୍ଧମାଳର ଯୁବକ କାହ୍ନୁ ଚରଣ ସାହୁ । ମେଧାକୁ ପାଥେୟ କରି ସଂଘର୍ଷ ଓ ସଫଳତାର କାହାଣୀ ଲେଖିଛନ୍ତି । ଗରିବ ପରିବାରରେ ଜନ୍ମିତ କାହ୍ନୁ ଯୁବଗୋଷ୍ଠୀ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ପରିବାର ବିକାଳିଙ୍କ ପୁଅ ଆଜି ବିହାର ପାଟଣାର ଆଞ୍ଚଳିକ ଶ୍ରମ କମିଶନର ହୋଇ ଦୁଃଖିନୀ ମା’ର ଲୁହ ପୋଛିଛନ୍ତି ।

ବିହାର ପାଟଣାର ଆଞ୍ଚଳିକ ଶ୍ରମ କମିଶନର କନ୍ଧମାଳର ଯୁବକ । ଅନେକ ଓଡିଆ ଯୁବକ ତଥା ଅଫିସର ଓଡିଶାର ବାହାରେ ତଥା ବିଦେଶରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିଛନ୍ତି । କିନ୍ତୁ ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ ଏଇ ଚୌକି ଉପରେ ବସିଥିବା ଯୁବ ଅଫିସର କାହାଣୀ । ଦାରିଙ୍ଗବାଡିର କାହ୍ନୁ ଚରଣ ସାହୁ । ଜଣେ ପରିବା ବିକାଳିଙ୍କ ପୁଅ । ୫ ଭାଇ ଭଉଣୀଙ୍କ ମଧ୍ୟରେ କାହ୍ନୁ ଘରର ସାନ ପୁଅ । ବାପା ଜୟଦେବ ସାହୁ ପରିବା ଓ ବଡି-ପାମ୍ପଡ ବିକି ପିଲାଙ୍କୁ ପାଠ ପଢ଼ାଉଥିଲେ । ହେଲେ ଏକ ଦୁର୍ଘଟଣାରେ ବାପା ଚାଲିଯିବା ପରେ କାହ୍ନୁଙ୍କ ଆଶାର ଆକାଶରେ ଘୋଟି ଆସିଥିଲା କଳାମେଘ । ମାତ୍ର ସେ ମେଘକୁ ବର୍ଷିବାକୁ ଦେଇ ନଥିଲେ କାହ୍ନୁ ।

ବାପାଙ୍କ ବିୟୋଗ ପରେ କାହ୍ନୁଙ୍କ ମାଆ ନିଜେ ବଡି ଓ ପାମ୍ପଡ ତିଆରି କରି ବିକ୍ରି କଲେ, ଆଉ କାହ୍ନୁଙ୍କୁ କଷ୍ଟେମଷ୍ଟେ ମାଟ୍ରିକ ଯାଏଁ ପଢାଇଲେ । ଏହାପରେ କାହ୍ନୁ ନିଜ ଉଦ୍ୟମରେ ପାଠ ପଢିବା ପାଇଁ ଘର ଛାଡି ବ୍ରହ୍ମପୁର ଚାଲିଆସିଥିଲେ । ସେଠାରେ ନିଜେ ଟ୍ୟୁସନ କରି ଯୁକ୍ତ ୨, ଯୁକ୍ତ ୩ ଓ ପିଜି କଲେ କାହ୍ନୁ । ଏବେ ବି କାହ୍ନୁଙ୍କ ମାଆ ଓ ଭଉଣୀ ବଡି ବିକି ଘର ଚଳାଉଛନ୍ତି । ଆଉ ସେପଟେ କାହ୍ନୁ ଜାତୀୟ ସ୍ତରରେ ଆୟୋଜିତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିହାରର ଶ୍ରମ କମିସନର ଭାବେ ନିଯୁକ୍ତି ପାଇଛନ୍ତି । ସେଥିପାଇଁ ତ ଆଜି ନିଜ ପରିବାର ସହ ପୁରା କନ୍ଧମାଳ ପାଇଁ ଗର୍ବ ଆଉ ଗୌରବ କାହ୍ନୁ ଚରଣ ସାହୁ ।