ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ : ୪ ବର୍ଷରେ ୪ ଏକର ଡଙ୍ଗର ଭୂମିକୁ ସମତୁଲ କରି ଚାଷ ଉପଯୋଗୀ କଲେ ୯୦ ବର୍ଷୀୟ ବୃଦ୍ଧ

315

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ବଳ ବୟସ ଗଲାଣି ହେଲେ କଠିନ ପରିଶ୍ରମ କରିବାର ଝୁଙ୍କ ଯାଇନି । ପରିଣତ ବୟସରେ ବି ସକ୍ଷମ ଆଉ ପାରଙ୍ଗମ । ଖଟିଖିଆ ଲୋକଙ୍କୁ କେବେ ବସିବାକୁ ଭଲ ଲାଗିବନି । ଏକଥା ପ୍ରମାଣିତ କରିଛନ୍ତି ୯୦ ବର୍ଷିୟ ବୃଦ୍ଧ ଚାଷୀ ମାଧବ ଅଗରିଆ । କଠିନ ପରିଶ୍ରମ କରି ୪ ବର୍ଷରେ ୪ ଏକର ଟାଙ୍ଗରା ଜମିକୁ ଚାଷ ଉପଯୋଗୀ କରିପାରିଛନ୍ତି । କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର । ଏହି ଉକ୍ତିକୁ ମର୍ମେ ମର୍ମେ ଅନୁଭବ କରି ଏ ବୟସରେ ବି ଆଳସ୍ୟରୁ ଦୂରେଇ ରହି ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି । ବୟସର ଅପରାହ୍ନରେ ଅନ୍ୟ ଉପରେ ବୋଝ ନହୋଇ ଚାଷ କାମ ସହ ନିଜ କାମ କରୁଛନ୍ତି ।

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଗାଦବ କତରା ଗ୍ରାମର ମାଧବ ଅଗରିଆ । ବୟସ ୯୦ ରୁ ଉର୍ଦ୍ଧ୍ୱ । ଚମ ଧୁଡ଼ୁଧୁଡ଼ୁ କରୁଛି । ଚୁଟି ପାଚିଯାଇଛି । ଆଖି ପଶିଯାଇଛି । ହେଲେ ପରିଣତ ବୟସରେ ଯୁବକଙ୍କ ପରି ପରିଶ୍ରମ କରି ଚାଲିଛନ୍ତି । ଚାଷ କରିବାର ନିଶା ଆଗରେ ହାର ମାନିଛି ବୟସ । ସକାଳ ହେଲେ କୋଦାଳ, ଶାବଳ ଧରି ବାହାରି ଯାଆନ୍ତି ଚାଷ ଜମିକୁ । କାହାର ସାହାଯ୍ୟ ନନେେଇ ୪ ବର୍ଷରେ ପ୍ରାୟ ୪ ଏକର ଜମିକୁ ସମତୁଲ କରି ଚାଷୋପଯୋଗୀ କରିପାରିଛନ୍ତି । କାମ କରିବାର ସ୍ପୃହା ଆଗରେ ପ୍ରତିବନ୍ଧକ ସାଜିପାରିନି ବୟସ । ବର୍ଷ ବର୍ଷ ଧରି ସେ ଚାଷକୁ ବୃତ୍ତିଭାବେ ଆପଣାଇଛନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନବରଣ ପରିଶ୍ରମ କରିଚାଲିଛନ୍ତି । ବର୍ତ୍ତମାନ ସମୟରେ ଚାଷକୁ ମୁହଁ ମୋଡ଼ୁଥିବା ଯୁବପୀଢ଼ି ପାଇଁ ସେ ଉଦାହରଣ ସାଜିଛନ୍ତି ।

ଏତେ ବୟସରେ ବି ମାଧବଙ୍କ ନିକଟରେ ଥକାପଣ ନାହିଁ । କେବେ ମେଡ଼ିକାଲ ଦୁଆର ମାଡ଼ି ନାହାନ୍ତି ସେ । ଔଷଧ ଖାଇନାହାନ୍ତି । ପରିଣତ ବୟସରେ ତାଙ୍କୁ ଆଳସ୍ୟ ଛୁଁପାରିନି । କଠିନ ପରିଶ୍ରମ କରି ପେଜପାଣି ଖାଇଲେ ଦେହ ଠିକ ଲାଗେ । କିଛି କାମ ନକରି ଘରେ ବସିରହିବାକୁ ଭଲଲାଗେନି । କିଛି କାମ ନକଲେ ହିଁ ଦେହ ଭଲଲାଗେନି ବୋଲି କହିଛନ୍ତି ସେ । ୯୦ ବର୍ଷୀୟ ବୃଦ୍ଧଙ୍କ ପ୍ରେରଣାଦାୟୀ କାହାଣୀ ଆଧୁନିକତାର ଛାପରେ ବୁଡ଼ି ରହିଥିବା ଯୁବସମାଜ ପାଇଁ ପ୍ରେରଣାର ଉତ୍ସ ।