ଦେଢ଼ ଲକ୍ଷରେ ଡଙ୍ଗା‌ କିଣି ଘରକୁ ଫେରିଲେ ଗଞ୍ଜାମର ୯ ମତ୍ସ୍ୟଜୀବୀ : ସମସ୍ତଙ୍କୁ ସଙ୍ଗରୋଧରେ ରଖିଲା ଆନ୍ଧ୍ର ପୁଲିସ

1,442

କନକ ବ୍ୟୁରୋ : ତାଲାବନ୍ଦ ଯୋଗୁଁ ଦେଶରେ ବିଭିନ୍ନ ସ୍ଥାନରେ ପ୍ରବାସୀ ଓଡିଆ ଫସି ରହିଛନ୍ତି । ଘରକୁ ଫେରିବାର ଉପାୟ ନପାଇ ଶେଷରେ ସେମାନେ ଭିନ୍ନ ପନ୍ଥା ଆପଣେଇଛନ୍ତି । ଚାନ୍ଦାକରି ଡଙ୍ଗା କିଣି ଘରକୁ ଫେରିଛନ୍ତି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତିସୁନାପୁରର ୯ ଜଣ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣ ଭାବେ ସମୁଦ୍ରପଥରେ ଫେରିବାକୁ ବାଧ୍ୟ ହୋଇଛନ୍ତି । ଆନ୍ଧ୍ର ୧୭ ଜଣ ଓ ପୁରୀ କୃଷ୍ଣପ୍ରସାଦର ଜଣେ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ଲକ୍ଷେ ୬୦ ହଜାରରୁ ଅଧିକ ଟଙ୍କା ଚାନ୍ଦା କରି ଡଙ୍ଗା କିଣି ସମୁଦ୍ରପଥରେ ଆସିଥିଲେ । କିନ୍ତୁ ଘରେ ପଂହଚିପାରିନଥିଲେ । ଆନ୍ଧ୍ରର ପୁସ୍ତପୁରଠାରେ ସ୍ଥାନୀୟ ପୋଲିସ ଅଟକ ରଖି ସଙ୍ଗରୋଧରେ ରଖିଥିବା ଜଣାପଡିଛି ।

ଆନ୍ଧ୍ର ସୀମାରେ ଥିବା ପାତିସୁନାପୁରର ୯ ଜଣ ମତ୍ସ୍ୟଜୀବୀ ଚେନ୍ନାଇ ଯାଇ ମାଛ ମାରି ପେଟ ପୋଷୁଥିଲେ । କିନ୍ତୁ ତାଲାବନ୍ଦ ଯୋଗୁଁ ସବୁ ବନ୍ଦ ହୋଇଯାଇଥିଲା । ଏହାପରେ ଡଙ୍ଗାରେ ଭିଟାମାଟି ଫେରିବାକୁ ନିଷ୍ପତି ନେଇଥିଲେ । ଚେନ୍ନାଇରେ ଲକ୍ଷେ ୬୦ ହଜାର ଟଙ୍କାର ଡଙ୍ଗା କିଣିଥିଲେ । ଏଥିରେ ଖାଇବା ସହ ଅନ୍ୟ ଜିନିଷପତ୍ର ଧରି ୧୫ ତାରିଖ ରାତି ୯ଟାରେ ଗୋଟିଏ ଡଙ୍ଗାରେ ଆନ୍ଧ୍ର ୧୭ ଜଣ ଓ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଂଚଳର ଜଣେ ନିଜ ଭିଟାମାଟି ଅଭିମୁଖେ ବାହାରିଥିଲେ । ତେବେ ଏହି ମତ୍ସ୍ୟଜୀବୀ ଜଳପଥରେ ଫେରୁଥିବା ଖବର ଆନ୍ଧ୍ର ପୋଲିସ ପାଖରେ ପହଂଚିଥିଲା ।

ଗତକାଲି ଆନ୍ଧ୍ରର ଡଙ୍କୁରୁ ସମୁଦ୍ରକୂଳରେ ଏହି ଡଙ୍ଗା ଲାଗିବ ବୋଲି ପୁଲିସ ଜାଣିପାରିଥିଲା । ଡଙ୍ଗା ଲାଗିବା ପରେ ପରେ ଆନ୍ଧ୍ର ପୋଲିସ ସେମାନଙ୍କ ନାଁ ପଞ୍ଜୀକରଣ କରିଛି । ପ୍ରଶାସନର ନିଷ୍ପତି ପରେ ଇଚ୍ଛାପୁରର ପୁସ୍ତପୁର ସଙ୍ଗରୋଧ ଗୃହରେ ସେମାନଙ୍କୁ ୧୪ ଦିନ ରଖାଯିବ ବୋଲି ସୂଚନା ମିଳିଛି ।

Comments are closed.