କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀର ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନରେ ଗତ ୩ ବର୍ଷ ମଧ୍ୟରେ ୭୩୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ୨୦୧୯ ଜୁନ୍‌ ୧୬ ସୁଦ୍ଧା ଜମ୍ମୁ କଶ୍ମୀରରେ ୧୧୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ୨୦୧୮ ମସିହାରେ ୨୫୭ ଆତଙ୍କବାଦୀ ନିପାତ ହୋଇଥି‌ବାବେଳେ ୨୦୧୭ରେ ୨୧୩ ଏବଂ ୨୦୧୬ରେ ୧୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଲୋକସଭାରେ ମଧ୍ୟ ଏ ବାବଦ ତଥ୍ୟ ରଖିଛନ୍ତି ।

Advertisment

ସରକାର ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏ ବାବଦ କାର୍ଯ୍ୟାନୁଷ୍ଠାନରେ ଗତ ୩ ବର୍ଷ ମଧ୍ୟରେ ୭୩୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେହିପରି ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଲୋକମାନଙ୍କ ଉପରେ ମଧ୍ୟ ସରକାର ସତର୍କ ନଜର ରଖିଛନ୍ତି । ୨୦୧୬ରୁ ୨୦୧୮ ମଧ୍ୟରେ ୨୫୩ ଯବାନ ସହିଦ ହୋଇଛନ୍ତି । ୨୦୧୬ରେ ୮୨, ୨୦୧୭ରେ ୮୦ ଏବଂ ୨୦୧୮ରେ ୯୧ ଯବାନ ସହିଦ ହୋଇଥିଲେ । ୨୦୧୮ରେ ଜମ୍ମୁ କଶ୍ମୀରରେ ସମୁଦାୟ ୬୧୪ଟି ଆତଙ୍କବାଦୀ କାର୍ଯ୍ୟକଳାପ ଘଟି ୩୯ ନାଗରିକଙ୍କ ମୃତ୍ୟୁ ହୋଇଛି ।

୨୦୧୭ରେ ୩୪୨ ଆତଙ୍କବାଦୀ କାର୍ଯ୍ୟକଳାପରେ ୪୦ ନାଗରିକ ଏବଂ ୨୦୧୬ରେ ୩୨୨ ଆତଙ୍କବାଦୀ କାର୍ଯ୍ୟକଳାପରେ ୧୫ ନାଗରିକଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଂଚଳରେ ପାକ୍‌ ଅଧିକୃତ କଶ୍ମୀରରେ ଏବେ ୧୧ଟି ଲଞ୍ଚ୍‌ ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ ସକ୍ରିୟ ଥିବା ଜଣାପଡ଼ିଛି । ବାଲାକୋଟ ବିମାନ ଆକ୍ରମଣ ପରେ ଏହି ଆତଙ୍କବାଦୀମାନେ ଲଞ୍ଚପ୍ୟାଡ୍‌ ଛାଡ଼ି ପଳାଇଥିଲେ। ଏବେ ସେମାନଙ୍କୁ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପୁଣି ଲଞ୍ଚପ୍ୟାଡ୍‌କୁ ଫେରାଇ ଆଣିଛନ୍ତି ।