୭୦ ବର୍ଷୀୟା ପରିବା ଚାଷୀ ସୁଶୀଳା : ପରିବା ବିକ୍ରି କରି ପାଳୁଛନ୍ତି ଚାରି ପ୍ରାଣୀ କୁଟୁମ୍ବ, ଦୟାର ପାତ୍ର ନହୋଇ ବୟସର ଅପରାହ୍ନରେ ବି ଜାରି ରଖିଛନ୍ତି ସଂଘର୍ଷ

581

କନକ ବ୍ୟୁରୋ : ୭୦ ବର୍ଷୀୟା ପରିବା ଚାଷୀ । ମୁଣ୍ଡ ଉପରେ ପରିବାର ଜାକର ବୋଝ । ସାହା ହେବାକୁ କେହି ନାହିଁ । ପରିବାର ପାଳିବା ପାଇଁ ବୟସର ଅପରାହ୍ନରେ ଜାରି ରହିଛି ସଂଘର୍ଷ । ଭଞ୍ଜନଗରର ସୁଶୀଳା ମାଉସୀଙ୍କ ଆଗରେ ହାର ମାନିଛି ବୟସ ।  କାହାର ଦୟାର ପାତ୍ର ନହୋଇ ପରିବାର ପାଇଁ ଅହରହ ସଂଘର୍ଷ କରିଚାଲିଛନ୍ତି ।  ସକାଳ ହେଲେ ବାଡ଼ିରେ ହେଉଥିବା ପରିବାକୁ ବିକ୍ରି କରିବାକୁ ବାହାରି ଯାଆନ୍ତି । ପରିଣତ ବୟସରେ ବିଶ୍ରାମ ବଦଳରେ କଠିନ ପରିଶ୍ରମ କରିଚାଲିଛନ୍ତି ।

ଭଞ୍ଜନଗର ବେଲଗୁଣ୍ଠା ବ୍ଲକର ଇଙ୍ଗିନାଠୀ ପଞ୍ଚାୟତର ବଲାଡ଼ି ଗ୍ରାମରେ ସୁଶୀଳା ଘର । ବୟସ ୭୦ । ୩ ପୁଅ ଓ ୩ ଝିଅକୁ ନେଇ ଚାଲୁଥିଲା  ସୁଖର ସଂସାର । ୧୨ ବର୍ଷ ପୂର୍ବରୁ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି । ଆଉ ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ମା’ ଆଗରେ ଚାଲିଗଲା ବଡ଼ ପୁଅ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅନ୍ୟ ଦୁଇ ପୁଅ ଦାଦନ ଖଟିବାକୁ ଚାଲିଗଲେ । ଦୁଇ ଝିଅ ଶାଶୁଘରେ ନିଜ ପରିବାର ସହ ରହୁଥିବା ବେଳେ ସାନ ଝିଅ କୌଣସି କାରଣବଶତଃ ତାଙ୍କ ପାଖରେ ରହୁଛନ୍ତି । ସାନ ଝିଅ ସହ ୨ ନାତୁଣୀର ବୋଝ ସୁଶୀଳାଙ୍କ ଉପରେ ନ୍ୟସ୍ତ । ତାଙ୍କର ନିଜର ଅଳ୍ପ କିଛି ଚାଷ ଜମି ଥିରେ ମଧ୍ୟ ତାହା ଚାଷଯୋଗ୍ୟ ନୁହେଁ । ପରିବାର ପାଳିବା ପାଇଁ ବାଟ ନମିଳିବାରୁ, ବାଧ୍ୟ ହୋଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ବର୍ଷିକିଆ ଜମି ଭଡ଼ା ଆକାରରେ ଆଣିଛନ୍ତି ସୁଶୀଳା । ଭଡ଼ା ଜମିରେ ପରିବା ଚାଷ କରି ହାଟରେ ବିକ୍ରି କରି ପରିବାର ଚଳାଉଛନ୍ତି ।

ସରକାରଙ୍କ ପକ୍ଷରୁ ମାସକୁ ୫୦୦ ଟଙ୍କା ଭତ୍ତା ମିଳୁଛି । ପୂର୍ବରୁ ବିପିଏଲ୍ ଚାଉଳ ମିଳୁଥିଲେ ହେଁ କିଛିବର୍ଷ ପୂର୍ବରୁ ତାହା ବି ବନ୍ଦ ହୋଇଯାଇଛି । ମହଙ୍ଗା ଦୁନିଆରେ ୪ ପ୍ରାଣୀ କୁଟୁମ୍ବ ଚଳାଇବା ପାଇଁ ଭତ୍ତା ଟଙ୍କା ନିଅଂଟ । ତେଣୁ ପରିବା ଚଳାଇବା ପାଇଁ ଭଞ୍ଜନଗର ପୁରୁଣା ଜେଲ ସାମ୍ନା ଫୁଟପାଥରେ ପାଖରେ ପ୍ରତିଦିନ ପରିବାର ବିକ୍ରି କରନ୍ତି ସୁଶୀଳା । ସଜ ଆଉ ତଟକା ପରିବା ଦେଖି ଲୋକମାନେ ଖୁସିରେ ତାଙ୍କ ପରିବାକୁ କିଣିନେଇ ଯାଆନ୍ତି । ଦିନକୁ ଏଥିରୁ ମାତ୍ର ଶହେରୁ ଦେଶଶହ ଟଙ୍କା ମିଳେ । ସେଥିରେ କଷ୍ଟେମେଷ୍ଟ ଚଳୁଛି ପୁରା ପରିବାର ।

୭୦ ବର୍ଷ ବୟସ ହେଲେ ମଧ୍ୟ କାହା ଆଗରେ ଆଜି ଯାଏଁ ସାହାଯ୍ୟ ପାଇଁ ହାତପାତି ନାହାନ୍ତି ସୁଶୀଳା । ଅନ୍ୟର ଦୟାରେ ନବଞ୍ଚି ପରିଶ୍ରମ କରି ପରିବାର ଚଳାଇବାରେ ଖୁବ ଆନନ୍ଦ ଅଛି ବୋଲି କହନ୍ତି ସୁଶୀଳା । ତେବେ ଚାରି ପ୍ରାଣୀ କୁଟୁମ୍ବକୁ ଚଳାଇବା ପାଇଁ ସରକାରୀ ସ୍ତରରେ କିଛି ସହାୟତା ମିଳିଳେ ସେ ନିଶ୍ଚିତ ଉପକୃତ ହୋଇପାରିବେ ।