କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି । ମୃତକ ଜଣକ ଖୋର୍ଧା ଜିଲ୍ଲାର ବୋଲି ଜଣାପଡିଛି । ତେବେ ମୃତକଙ୍କ ସବିଶେଷ ଦେଇଛନ୍ତି ରାଜ୍ୟ ସରକାର । ମୃତକଙ୍କ ବୟସ ୭୭ ବର୍ଷ । ସେ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସରକାରୀ ତଥ୍ୟ ଅନୁସାରେ ମୃତ ବ୍ୟକ୍ତିଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା । ହାଇପରଟେନସନ୍, ଡାଇବେଟିସ୍ ଓ କିଡ଼ନୀ ରୋଗୀରେ ପୀଡ଼ିତ ଥିଲେ ।

Advertisment

୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ଥିଲେ ମୃତକ । ୨୨ ମାର୍ଚ୍ଚରୁ ଲକଡାଉନ୍ ପରେ ପରିବାର ସହ ସେ ଘରେ ରହିଥିଲେ । ଏପ୍ରିଲ ୭ରେ ପରିବାରର ଜଣେ ସଦସ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ଏପ୍ରିଲ ୯ରେ ତାଙ୍କର ନମୂନା ପରୀକ୍ଷଣ ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏପ୍ରିଲ ୨୮ରେ ପୁଣି ଥିରେ ତାଙ୍କର ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏପ୍ରିଲ ୨୮ ତାରିଖରେ କିମ୍ସ କୋଭିଡ଼୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମୃତକ । ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଛି । ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଝାରପଡ଼ାର ୭୨ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । କ୍ରୋନିକ ହାଇପରଟେନସନ ଯୋଗୁଁ ଝାରପଡା ଅଂଚଳର ଵ୍ୟକ୍ତି ଜଣକ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ପୁରା ଏକ ମାସ ପରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।