ଜନ୍ମସ୍ଥାନକୁ ଫେରିବାର କରୁଣ ଚିତ୍ର : ଟ୍ରକ୍‌ରେ ଖୁନ୍ଦାଖୁନ୍ଦି ହୋଇ ଆନ୍ଧ୍ରପ୍ରଦେଶରୁ ଶୁଳିଆପଦା ଫେରିଲେ ୬୫ ପ୍ରବାସୀ ଓଡ଼ିଆ

307

କନକ ବ୍ୟୁରୋ : ସାମ୍ନାକୁ ଆସିଛି ପ୍ରବାସୀ ଓଡ଼ିଆଙ୍କ ନିଜ ଜନ୍ମସ୍ଥାନର କରୁଣ ଚିତ୍ର। ଆଜି ଏକ ଟ୍ରକ୍‌ରେ ଖୁନ୍ଦାଖୁନ୍ଦି ହୋଇ ୬୫ଜଣ ପ୍ରବାସୀ ଶୁଳିଆପଦା ଫେରିଛନ୍ତି । ଡହଡହ ଖରାରେ ସିଝି ସିଝି ଆନ୍ଧ୍ରପ୍ରଦେଶରୁ ଫେରିଛନ୍ତି ଏହି ଓଡ଼ିଆ । ଯଦିଓ ଟ୍ରକ୍‌ଟିର ମୟୂରଭଞ୍ଜକୁ ଆସିବାର ଅନୁମତି ନଥିଲା ମାତ୍ର ଏଥିରେ ଥିବା ସମସ୍ତଙ୍କ ନିକଟରେ କିନ୍ତୁ ନିଜ ଘରକୁ ଫେରିବାର ଅନୁମତି ଥିଲା । ତେଣୁ ମାନବିକତାର ଦୃଷ୍ଟିକୋଣରୁ ସମସ୍ତଙ୍କୁ ଜିଲ୍ଲାକୁ ଆସିବାର ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ପ୍ରଚୁର ଖରା ସତ୍ତ୍ବେ ଏକ ଟ୍ରକ୍‌ରେ ଆବଶ୍ୟକତାଠାରୁ ଅଧିକ ଲୋକ ବାରିପଦା ସହର ମଧ୍ୟରେ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଦେଖି ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସ୍ଥାନୀୟ ଦାରୋଗାଡାହି ଗୋଲେଇ ନିକଟରେ ଅଟକି ଥିବା ଲୋକଙ୍କୁ ପଚରା ଉଚୁରା କରିଥିଲେ । ଘଟଣାସମ୍ପର୍କରେ ସମସ୍ତ ତଥ୍ୟ ଜାଣି ଆଇଆଇସି ଶ୍ରୀ ସେନାପତି ପ୍ରଥମେ ଟ୍ରକ୍‌ରେ ଥିବା ଲୋକଙ୍କୁ ପାଣି ପିଇବାକୁ ଦେଇଥିଲେ ।
ପରେ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇ ଶୁଳିଆପଦା ଥାନା ଆଇଆଇସିଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ । ଟ୍ରକ୍‌ଟିକୁ ଶୁଳିଆପଦା ଥାନା ସୀମା ପର୍ୟ୍ୟନ୍ତ ନେଇ ହସ୍ତାନ୍ତର କରିଥିଲେ । ତେବେ ଟ୍ରକ୍‌ଟି ଲୋକଙ୍କୁ ବାରିପଦାରେ ହିଁ ଛାଡ଼ିଦେବାକୁ କହୁଥିବା ଜଣାପଡ଼ିଥିଲା । ମାତ୍ର ପୁଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଶୁଳିଆପଦା ନିଆଯାଇଥିଲା । ସମସ୍ତ ପ୍ରବାସୀଙ୍କୁ ଶୁଳିଆପଦାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ଜଣାପଡ଼ିଛି ।

ଆଜି ସୁଦ୍ଧା ଜିଲ୍ଲାକୁ ପ୍ରାୟ ୧୬ଶହରୁ ଊର୍ଧ୍ବ ପ୍ରବାସୀ ଓଡ଼ିଆ ଆସିସାରିଛନ୍ତି। ଜିଲ୍ଲାକୁ ଫେରିବାକୁ ପ୍ରାୟ ୫୦ହଜାର ପ୍ରବାସୀ ପଞ୍ଜିକରଣ କରିଛନ୍ତି । ପ୍ରଥମରୁ ଗ୍ରୀନ୍‌ ଜୋନରେ ଥିବା ମୟୁରଭଞ୍ଜ ପାଇଁ ସୁରତ ଫେରନ୍ତା ବିପଦ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୯ ଜଣ କରୋନା ଆକ୍ରାନ୍ତ ସମସ୍ତେ ସୁରତ ଫେରନ୍ତା ।