ଭାରତରେ ପଦଚାରୀ ଅସୁରକ୍ଷିତ : ସଡ଼କ ଦୁର୍ଘଟଣାରେ ଦିନକୁ ୬୨ ପଦଚାରୀଙ୍କ ଜୀବନ ଯାଉଛି

153

କନକ ବ୍ୟୁରୋ : ଭାରତୀୟ ସହର ଗୁଡ଼ିକରେ ରାସ୍ତା କଡ଼ରେ ଚାଲୁଥିବା ପଦଚାରୀମାନେ ସବୁବେଳେ ଅସୁରକ୍ଷିତ । ନିକଟ ଅତୀତରେ ପଦଚାରୀଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି । କେନ୍ଦ୍ର ପରିବହନ ମନ୍ତ୍ରାଳୟର ସଡ଼କ ଦୁର୍ଘଟଣା ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ଦିନକୁ ପ୍ରାୟ ୬୨ ପଦଚାରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି । ରିପୋର୍ଟ ଅନୁଯାୟୀ ୨୦୧୪ରେ ଭାରତରେ ଦିନକୁ ୩୪ ଜଣ ପଦଚାରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୨୦୧୮ରେ ଏହା ୬୨କୁ ବୃଦ୍ଧି ପାଇଛି । ୨୦୧୪ରୁ ୨୦୧୮ ମଧ୍ୟରେ ପଦଚାରୀଙ୍କ ମୃତ୍ୟୁସଂଖ୍ୟା ୮୪ ପ୍ରତିଶତ ବୃଦ୍ଧି ପାଇଛି ।

୨୦୧୪ରେ ଦେଶବ୍ୟାପୀ ୧୨,୩୩୦ ପଦଚାରୀଙ୍କ ମୃତ୍ୟୁ ହୋଇଥିଲା । ୨୦୧୫ରେ ପଦଚାରୀଙ୍କ ମୃତ୍ୟୁସଂଖ୍ୟା ୧୩,୮୯୪କୁ ବୃଦ୍ଧି ପାଇଥିଲା । ୨୦୧୬ରେ ଏହି ସଂଖ୍ୟା ୧୫,୭୪୬, ୨୦୧୭ରେ ୨୦,୪୫୭ ଏବଂ ଗତବର୍ଷ ଏହା ୨୨.୬୫୬କୁ ବୃଦ୍ଧି ପାଇଥିଲା । ସଡ଼କ ସୁରକ୍ଷା ବିଶେଷଜ୍ଞମାନେ କହୁଛନ୍ତି, ରାସ୍ତା ଉପରେ ପଦଚାରୀମାନଙ୍କ ଅଧିକାରକୁ ଅଗ୍ରାଧିକାର ଦିଆଯାଉନି କି ରାସ୍ତା ନିର୍ମାଣ ଏବଂ ଟ୍ରାଫିକ୍‌ ଯୋଜନା ସମୟରେ ଏଥିପ୍ରତି ବିଶେଷ ଗୁରୁତ୍ବ ମଧ୍ୟ ଦିଆଯାଉନି । ସେଥିପାଇଁ ସଡ଼କ ଦୁର୍ଘଟଣାରେ ଅଧିକାଂଶ ପଦଚାରୀ ପ୍ରାଣ ହରାଉଛନ୍ତି ।

କେନ୍ଦ୍ର ପରିବହନ ମନ୍ତ୍ରାଳୟର ସଡ଼କ ଦୁର୍ଘଟଣା ରିପୋର୍ଟ ୨୦୧୮ରୁ ଜଣାପଡ଼ିଛି ଯେ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ପଦଚାରୀଙ୍କ ମୃତ୍ୟୁ ହେଉଛି । ପଶ୍ଚିମବଙ୍ଗରେ ୨୦୧୮ରେ ୨,୬୧୮ ପଦଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ପଛକୁ ମହାରାଷ୍ଟ୍ରରେ ୨,୫୧୫, ଆନ୍ଧ୍ରପ୍ରଦେଶରେ ୧,୫୬୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରିପୋର୍ଟ ଅନୁଯାୟୀ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ପଦଚାରୀ, ସାଇକେଲ ଏବଂ ଦୁଇ ଚକିଆ ଗାଡ଼ି ଚାଳକଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ ‌ହେବ। ଉଲ୍ଲେଖଯୋଗ୍ୟ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ପଦଚାରୀଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଉଛି । କିନ୍ତୁ ଭାରତରେ ପଦଚାରୀଙ୍କ ସୁରକ୍ଷା ଦିଗରେ ସେତେଟା ଗୁରୁତ୍ବ ଦିଆଯାଉ ନଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।