ଅନୁଗୁଳର ସମଲ ଜଳଭଣ୍ଡାର ଯୋଗୁଁ ୬ଟି ଗାଁ କ୍ଷତିଗ୍ରସ୍ତ ! ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ

84

କନକ ବ୍ୟୁରୋ : କ୍ଷତିଗ୍ରସ୍ତ ହୋଇପଡିଛି ତାଳଚେର ସ୍ଥିତ ସମଲ ଜଳଭଣ୍ଡାର । ଫଳରେ ଜଳଭଣ୍ଡାରକୁ ଲାଗିଥିବା ୬ଟିି ଗ୍ରାମ ଏବେ ସପୂର୍ଣ୍ଣ ଭାବେ ଏବେ ଲୀନ ହେବାକୁ ବସିଲାଣି । ଅନ୍ୟପଟେ ଏହି ଗ୍ରାମଗୁଡିକୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ୧୬ ବର୍ଷ ମଧ୍ୟରେ ଗ୍ରାମବାସୀ ମାନଙ୍କୁ ଥଇଥାନ କରାଯାଇ ନ ଥିବାରୁ ସେମାନଙ୍କ ମନରେ ଅସନ୍ତୋଷ ଦେଖାଯାଇଛି ।

ତାଳଚେର ସମଲ ଜଳଭଣ୍ଡାରକୁ ଲାଗି ରହିଛି ତାଳଚେର ଓ କଣିହାଁ ବ୍ଲକର ୬ଟି ଗାଁ । ସମଲ ଜଳଭଣ୍ଡାର ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ଗହମ, ସିପୁର, ନାଲମ, ତାଳପଦା, କୁସୁମପାଳ ଓ ଦୁର୍ଗାଅପୁର ଗାଁ । ବର୍ଷା ଦିନେ ବିଭିନ୍ନ ନଦୀର ପାଣି ବ୍ୟାରେଜକୁ ପ୍ରବେଶ କରିବା ବେଳେ ବ୍ୟାରେଜ ନିକଟ ବନ୍ଧରୁ ମାଟି ଅତଡା ଧସୁଛି । ଫଳରେ ଏଠାକାର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ।

୨୦୦୩ରୁ ଜଳଭଣ୍ଡାର ନିର୍ମାଣ କରାଯାଇଛି । ଏହାରି ଭିତରେ ୧୬ ବର୍ଷ ବିତିଲାଣି, ହେଲେ ଏଯାଏଁ ଜଳଭଣ୍ଡାର ନିଟକରେ ଥିବା ଗ୍ରାମବାସୀଙ୍କ ଥଇଥାନ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ । ହଜାର ହଜରା ମହିଳା ଓ ପୁରୁଷ ସମଲ ମୁଖ୍ୟରାସ୍ତା ଅବରୋଧ କରିବା ସହ ଜଳସମ୍ପଦ ଅଧୀକାରୀଙ୍କ କାର୍ଯ୍ୟାଳୟ ଘେରିଥିଲେ ।

ଅନ୍ୟପଟେ ବିସ୍ଥାପିତଙ୍କ ଜାଗା ଚିହ୍ନଟ କରାଯାଇ କ୍ଷତିପୂରଣ ଦିଆଯାଇଛି । ଥଇଥାନ ପାଇଁ ସରକାର ଏକ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେଲେ ଗ୍ରାମବାସୀମାନଙ୍କୁ ବାକି ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସମଲ ଜଳସମ୍ପଦ ଅଧିକାରୀ । ବିସ୍ଥାପିତଙ୍କ ଥଇଥାନ ପାଇଁ ବିଭାଗୀୟ ଅଧିକାରୀ ଯଦି କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତ୍ରୀବତର ହେବ ବୋଲି ସିଧାସଳଖ ଚେତାବନୀ ଦେଇଛି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ।