କରୋନା ନେଲା ଆଉ ୬ଜଣଙ୍କ ଜୀବନ । ମୋଟ ମୃତ୍ୟୁସଂଖ୍ୟା ୧୧୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

287

କନକ ବ୍ୟୁରୋ : ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ଓଡ଼ିଶାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ନୂଆ ୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଲା । ଗଞ୍ଜାମରୁ ୫ଜଣ ଓ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ପୁରୁଷ, ୨ ମହିଳା । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୬୭ ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ମୃତକଙ୍କ ସଂଖ୍ୟା୧୫ ରେ ପହଞ୍ଚିଛି । ଧୀରେ ଧୀରେ ଜାଲ ବିସ୍ତାର କରୁଥିବା ଭାଇରସ୍ ଏବେ ରାଜ୍ୟରେ ଆତଙ୍କ ଖେଳାଇଛି ।

ସେପଟେ ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ । ଗତ ୨୪ ଘଂଟାରେ ୨୭ ଜିଲ୍ଲାରୁ ସର୍ବାଧିକ ୧୨ ଶହ ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୪୭ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବାବେଳେ ୪୧୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବକାଳିନ ରେକର୍ଡ ଭାଙ୍ଗି ଦିନକରେ ୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଳାରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ୮୪, ଗଜପତିରୁ୭୪,ନୟାଗଡରୁ ୬୧, ସୁନ୍ଦରଗଡରୁ ୬୦, କଟକରୁ ୪୭,ଭଦ୍ରକରୁ ୩୦, କନ୍ଧମାଳରୁ ୨୯, କୋରାପୁଟରୁ ୨୭, କେନ୍ଦୁଝରରୁ ୨୫, ବରଗଡରୁ ୨୪, ପୁରୀରୁ ୨୨, ସମ୍ବଲପୁରରୁ ୨୦, ମୟୂରଭଞ୍ଜରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ପରୀକ୍ଷା ହୋଇଥିବା ୧୧ ହଜାର ନମୁନାରୁ ଏହି ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।