ଓଡିଶାରେ ଆଉ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ଭୁବନେଶ୍ୱରର ଜଣେ ୬୦ ବୟସ୍କ ବ୍ୟକ୍ତିଙ୍କ ନମୁନାରେ ଠାବ ହେଲା କରୋନା ଭୁତାଣୁ, ଏମ୍ସରେ ଚାଲିଛି ଚିକିତ୍ସା

1,989

କନକ ବ୍ୟୁରୋ : ଓଡିଶାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମ୍ସରେ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନମୁନାରେ କରୋନା ଭୁତାଣୁ ଠାବ ହୋଇଛି । ସେ ବିଭିନ୍ନ ରୋଗରେ ପୀଡିତ ଥିବା ଜଣାପଡିଛି । ଏହା ଓଡିଶାରେ ପଞ୍ଚମ କରୋନା ଆକ୍ରାନ୍ତ । ଗତକାଲି ଏମ୍ସରେ ହୋଇଥିବା ରକ୍ତ ନମୁନା ପରୀକ୍ଷାରେ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପଜିଟିଭ ରିପୋର୍ଟ ଆସିଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ୯୦୦ ନମୁନା ପରୀକ୍ଷାରୁ ୫ ପଜିଟିଭ ଚିହ୍ନଟ ହୋଇଛି ।

ଗତକାଲି ଓଡିଶାରେ ୨୯୦ଟି ନମୁନାର ପରୀକ୍ଷା ହୋଇଥିଲା । ଆରଏମଆରସିରେ ୨୨୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ଏମ୍ସରେ ୫୩ ନମୁନା ପରୀକ୍ଷା ହୋଇଥିଲେ ଯେଉଁଥିରେ ଗୋଟିଏ ପଜିଟିଭ ଓ ବାକିସବୁ ଆସିଛି ନେଗେଟିଭ ରିପୋର୍ଟ । ସେହିପରି ଏସସିବିରେ ପରୀକ୍ଷା ହୋଇଥିବା ୧୧ ନମୁନାର ରିପୋର୍ଟ ନେଗେଟିଭ ଆସିଛି । ମଙ୍ଗଳବାର ସୁଦ୍ଧା ୬୧୦ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ବୁଧବାର ୨୯୦ ନମୁନା ପରୀକ୍ଷା ହୋଇଛି । ଓଡିଶାରେ ୯୦୦ ଜଣ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲି ଦ୍ୱିତୀୟ କରୋନା ସଂକ୍ରମିତ ମେଡିକାଲରୁ ଫେରିଥିବା ବେଳେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି ।

ସେପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ । ଗତ ୧୯ ତାରିଖରେ କରୋନା ଚିହ୍ନଟ ହେବା ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ ୟୁକେରୁ ଫେରିଥିବା ଏହି ଯୁବକ । ମାର୍ଚ୍ଚ ୧୮ତାରିଖରେ ୟୁରୋପରୁ ଫେରିଥିଲେ ୨୦ ବର୍ଷିୟ ଯୁବକ । ଫେରିବା ପରେ ସରକାରଙ୍କ ନିୟମ ଅନୁସାରେ ସେ ନିଜ ନାମ ମଧ୍ୟ ପଞ୍ଜୀକୃତ କରିଥିଲେ । ତାଙ୍କ ଶରୀରରେ କରୋନା ଲକ୍ଷଣ ଥିବାରୁ ତାଙ୍କର ରକ୍ତ ନମୁନା ଓ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରର ଆଏମଆରସିକୁ ପଠାଯାଇଥିଲା । ପରୀକ୍ଷାରୁ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା ।

ତେବେ ପ୍ରାୟ ଦୁଇ ସପ୍ତାହର ଚିକିତ୍ସା ପରେ ତାଙ୍କ ନମୁନା କରୋନା ନେଗେଟିଭି ଆସିଛି । ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪କୁ ଖସି ଆସିଛି । ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଇଟାଲିରୁ ଫେରିଥିବା ବେଳେ ତୃତୀୟ ରୋଗୀ ଦିଲ୍ଲୀରୁ ଏବଂ ଚତୁର୍ଥ ରୋଗୀ ଦୁବାଇରୁ ଆସିଥିଲେ । ଏସବୁ ଭିତରେ ଓଡ଼ିଶାର ପ୍ରଥମ କରୋନା ରୋଗୀ ମଧ୍ୟ ସୁସ୍ଥ ହେଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।