ପ୍ରତି ସେପ୍ଟେମ୍ବର ୧୫ ତାରିଖରେ ଦୂରଦର୍ଶନ ପାଳନ କରେ ନିଜର ଜନ୍ମଦିନ । ଏକ ଛୋଟିଆ ଟ୍ରାନସମିଟର୍ ଏବଂ ଗୋଟିଏ ଅସ୍ଥାୟୀ ଷ୍ଟୁଡଓରେ ସେପ୍ଟେମ୍ବର ୧୫, ୧୯୫୯ ମସିହାରେ ଦିଲ୍ଲୀରେ ଆରମ୍ଭ ହୋଇଥିଲା ଦୂରଦର୍ଶନର ପ୍ରସାରଣ । ଅଲ୍ ଇଣ୍ଡିଆ ରେଡିଓର ଅଂଶ ଭାବେ ୧୯୬୫ ମସିହାରେ ଆରମ୍ଭ ହୋଇଥିଲା ଏହାର ନିୟମିତ ଦୈନିକ ପ୍ରସାରଣ । ୧୯୬୫ରେ ହିଁ ଦୂରଦର୍ଶନ ଆରମ୍ଭ କରିଥିଲା ୫ ମିନିଟ୍ ଅବଧିର ସମ୍ବାଦ ବୁଲେଟିନ୍ । ପ୍ରତିମା ପୁରୀ ଥିଲେ ପ୍ରଥମ ସମ୍ବାଦ ପାଠିକା । ୧୯୦୭ରେ ସଲ୍ମା ସୁଲ୍ତାନ୍ ଦୂରଦର୍ଶନରେ ଯୋଗ ଦେଇ ପରେ ନିଉଜ୍ ଆଙ୍କର୍ ହୋଇଥିଲେ। ସେତେବେଳର ଦୂରଦର୍ଶନରେ ଯୋଗ ଦେଇଥିବା ରୂପସୀ ମହିଳାମାନେ ହେଲେ ସରଳା ମାହେଶ୍ୱରୀ, ସଲ୍ମା ସୁଲ୍ତାନ, ଶିଳା ଚମନ୍ ଏବଂ ମିନୁ ତଲ୍ଓ୍ଵାର୍ ।
୧୯୭୫ ମସିହା ଯାଏଁ କେବଳ ସାତଟି ଭାରତୀୟ ସହରରେ ଟେଲିଭିଜନ୍ ସେବା ଥିଲା ଏବଂ ଦୂରଦର୍ଶନ ଥିଲା ଏକମାତ୍ର ପ୍ରସାରକ । ୧୯୭୬ରେ ଦୂରଦର୍ଶନ ଏଆଇଆର୍ ଠାରୁ ପୃଥକ୍ ହୋଇ ଏନ୍ଆଇଡି ଦ୍ୱାରା ନିର୍ମିତ ଏକ ଲୋଗୋ ଏବଂ ସୀତାର ବାଦକ ରବି ଶଙ୍କରଙ୍କ ଦ୍ୱାରା ବାଦ୍ୟ ସଙ୍ଗୀତ ହାସଲ କରିଥିଲା । ଲୋଗୋ ନିର୍ମାଣ କରିଥିଲେ ଏନଆଇଡିର ଛାତ୍ର ଦେବାଶିଷ ଭଟ୍ଟାଚାର୍ଯ୍ୟ ।ଜାନୁଆରି ୨୬, ୧୯୬୭ରେ ଆରମ୍ଭ ହୋଇଥିବା ପ୍ରଥମ ପ୍ରସାରଣ ‘କୃଷି ଦର୍ଶନ’ ଥିଲା ଭାରତରେ ଦୀର୍ଘ ଦିନ ଧରି ଚାଲିଥିବା ଦୂରଦର୍ଶନ କାର୍ଯ୍ୟକ୍ରମ । ୧୯୭୬ରେ ଦୂରଦର୍ଶନ ଆରମ୍ଭ କରିଥିଲା ପ୍ରଥମ ଟିଭି ସିରିଏଲ୍ ‘ଲଡୁସିଂହ ଟ୍ୟାକ୍ସିବାଲା’।
ଅଶୀ ଦଶକ ଥିଲା ଦୂରଦର୍ଶନର ସ୍ୱର୍ଣ୍ଣିମ ଯୁଗ । ଏତିକିବେଳେ ଆରମ୍ଭ ହୋଇଥିଲା ଏସିଆନ୍ ଗେମ୍ସ୍ର ରଙ୍ଗିନ ପ୍ରସାରଣ ଏବଂ ଟେଲି ସିରିଏଲ୍ ‘ହମ୍ ଲୋଗ୍’। ପରେ ପରେ ବୁନିୟାଦ୍, ନୁକ୍କଡ ଏବଂ ୟେ ଯୋ ହୈ ଜିନ୍ଦଗୀ ଏବଂ ଚିତ୍ରହାର । ଏବେ ଦୂରଦର୍ଶନର ଅଛି ୩୩ଟି ଚାନେଲ୍, ସମଗ୍ର ଦେଶରେ ୬୭ଟି ଷ୍ଟୁଡିଓ, ୧୪୦୦ ଟ୍ରାନ୍ସ୍ମିଟର୍ ଏବଂ ୧୫, ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ।