ରକ୍ତମୁଖା ଭାରତୀୟ ସେନା ! ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାଲିଛି ଭୟଙ୍କର ଅଭିଯାନ, ଏପର୍ଯ୍ୟନ୍ତ ୫୬ ଆତଙ୍କବାଦୀ ନିପାତ
କନକ ବ୍ୟୁରୋ : କାଶ୍ମୀରରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ଭୟଙ୍କର ଅଭିଯାନ ଗତ ଦୁଇ ବର୍ଷ ହେଲା ଚାଲିଛି । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ ବର୍ଷର ପ୍ରଥମ ୪ ମାସରେ କାଶ୍ମୀରରେ ୫୬ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଏସବୁ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ହିଜବୁଲ ମୁଜାହିଦ୍ଦିନର ସମୀର ଟାଇଗର,ପାକିସ୍ତାନରୁ ଆସିଥିବା ଜୈଶ-ଇ-ମୁହମ୍ମଦର ଆତଙ୍କବାଦୀ ମୁଫତି ଓ୍ଵାକାସ ଓ ଲସ୍କର-ଇ-ତୋଇବାର ଅବୁ ହମାସ । ସେନାର ଏହି ସଫଳତା ପଛରେ ସରକାରଙ୍କ ବି ହାତ ରହିଛି । ଆତଙ୍କବାଦୀ ନିପାତ ପାଇଁ ସେନାର ହାତ ଖୋଲା କ୍ଷମତା ଦିଆଯାଇଛି । ଏପରିକି ଅପରେସନ ବେଳେ ପଥରମାଡ କରୁଥିବା ଲୋକମାନଙ୍କୁ ବି ସେନା ଆତଙ୍କବାଦି ହିସାବରେ ଗଣି ତାଙ୍କ ଉପରକୁ ଗୁଳି ଚଳାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେନା ମୁଖ୍ୟ ବିପିନ ରାଓ୍ଵତଙ୍କ ମତରେ ସେନା ଅପରେସନରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଆତଙ୍କବାଦୀ ଭାବେ ଗଣାଯାଉଛି । ସେ ନିଜେ ସୁରକ୍ଷା ସ୍ଥିତିର ନିୟମିତ ସମୀକ୍ଷା କରୁଛନ୍ତି । ୨୦୧୭ରେ କାଶ୍ମୀରରେ ଆତଙ୍କବାଦୀ ମୃତ୍ୟୁ ସଂଖ୍ୟା ୨୦୦ ଟପିଥିଲା । ୨୦୧୦ ପରେ ପ୍ରଥମ ଥର ପାଇଁ ଏହି ସଂଖ୍ୟା ୨୦୦ ଟପିଥିଲା । ୨୦୧୦ରେ ମୋଟ ୨୭୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏହା ପରେ ଏହି ସଂଖ୍ୟା କମିଚାଲିଥିଲା । ୨୦୧୬ରେ ୧୬୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି ତାହାକୁ ଦେଖିଲେ ଜଣାପଡୁଛି ଯେ ଡିସେମ୍ବର ସୁଦ୍ଧା ଏହି ସଂଖ୍ୟା ୩ଶହ ଟପିବ ।