ଛେପ ପକାଇଲେ, ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ୫୦୦ ଟଙ୍କା ଜୋରିମାନା । ତୃତୀୟ ଥର ବିନା ମାସ୍କରେ ଗୋଡ଼ କାଢ଼ିଲେ ଗଣିବେ ୧୦୦୦ ଟଙ୍କା

416

କନକ ବ୍ୟୁରୋ : ଛେପ ପକାଇଲେ, ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ମାସ୍କ ନପିନ୍ଧିଲେ  ୫୦୦ଟଙ୍କା ଜରିମାନା । ଦ୍ୱିତୀୟ ଥର ମାସ୍କ ନପିନ୍ଧିଲେ ବି ସେହି ୫୦୦ ଟଙ୍କା ତଣ୍ଡ ଗଣିବା ପାଇଁ ପଡ଼ିବ । ତେବେ ତୃତୀୟ ଥର ଘରୁ ବିନା ମାସ୍କରେ ଗୋଡ଼ କାଢ଼ିଲେ ୧୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ସେହିପରି ସର୍ବସାଧାରଣରେ ଛେପ ପକାଇଲେ ଏବେ ୫୦୦ଟଙ୍କା ଜରିମାନା ଦେବାକୁ ପଡିବ ।

କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି । ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଜ୍ୟ ପାଇଁ ଜୁନ୍ ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଦେଶରେ ଅନଲକ୍ ୧ ଘୋଷଣା ପରେ ରାଜ୍ୟରେ ଗତ କିଛି ଦିନରେ ଲୋକଙ୍କର ଖାମଖିଆଲ ମନୋଭାବ ବଢ଼ିଯାଇଛି । ସଂକ୍ରମଣ ବଢ଼ୁଥିବା ସତ୍ୱେ ଚେତୁନାହାନ୍ତି ଲୋକେ । ଆଉ ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଡିଜିପି ।

ତେବେ କରୋନା ମୁକାବିଲା ପାଇଁ ହୋଇଥିବା ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି । ଆବଶ୍ୟକ ହେଲେ ଫାଇନ୍ ଆଦାୟ ହେବ, ଗିରଫ କରାଯିବ । ଘରୁ ବାହାରିଲେ ୨ ମିଟର ଦୂରତ୍ୱ ବଜାୟ ଉପରେ ସେ ଅଧିକ ଗୁରୁତ୍ୱାରୋପ କରିଛନ୍ତି । ସର୍ବସାଧାରଣରେ ସାମାଜିିକ ଦୂରତ୍ୱ ବଜାୟ ରଖିବା ଅନିବାର୍ଯ୍ୟ । ରାଜ୍ୟରେ ଆଗରୁ ଲାଗୁ ହୋଇଥିବା ରାତ୍ରି କାଳିନ କର୍ଫ୍ୟୁ ଜାରି ରହିବ । ପୂର୍ବ ଭଳି ରାତି ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଜାରି ରହିବ ବୋଲି ପୁଲିସ ମହାନିର୍ଦେଶକ ଅଭୟ କୁମାର ।

ଆଜିଠାରୁ ଅନଲକ ୧.୦ ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ମାର୍ଗଦର୍ଶିକା । ସମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ୩୦ ଜୁନ୍ ଯାଏ ଓଡିଶାରେ ଧାର୍ମିକ ସ୍ଥଳ, ପାର୍କ , ସିନେମା ହଲ, ବାର, ସ୍ପୋର୍ଟ୍ସ କମ୍ପେଲକ୍ସ ଏବଂ ସାମାଜିକ, ସାଂସ୍କୃତିକ ଏକତ୍ରୀକରଣ ଉପରେ କଟକଣା ଲଗାଯାଇଛି । ତେବେ ହୋଟେଲଗୁଡିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଏଥିରେ କେବଳ ଇନ ହାଉସ ଅତଥିଙ୍କ ପାଇଁ ବ୍ୟବସ୍ଥା ହୋଇପାରିବ । ବିମାନ ସେବା ଓ ଟ୍ରେନ୍ ସେବା ଚଳାଚଳ କରିପାରିବ । ସେହିପରି ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ଓ କୋଚିଂ ସେଂଟର ବନ୍ଦ ରହିବ । ଅର୍ଥନୀତିକ କାରବାର ଏବଂ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କିଛି କ୍ଷେତ୍ରରେ କଟକଣା କୋହଳ ହେବ । ତେବେ ଏଥିପାଇଁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଲେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ ।