ଫନି ଯୋଗୁଁ ଜୀବନ ଜୀବିକା ପ୍ରଭାବିତ : କୃଷି ଶ୍ରମିକଙ୍କୁ ମିଳୁନି କାମ, ଦାଦନ ଖଟିବାକୁ ଗଲେ ୫୦ ଯୁବକ

267

କନକ ବ୍ୟୁରୋ : ବାତ୍ୟା ‘ଫନି’ର ୨୬ ଦିନ ପରେ ମଧ୍ୟ ବାଲିଅନ୍ତା ବ୍ଲକ ଅଞ୍ଚଳରେ ସବୁ କିଛି ଅସଜଡ଼ା ହୋଇପଡ଼ିଛି । ବାଲିଅନ୍ତା ଓ ବାଲିପାଟଣା ଉଭୟ ବ୍ଲକରେ ଶତକଡ଼ା ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ବଞ୍ଚୁଥିବା ବେଳେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । କୃଷି ଶ୍ରମିକଙ୍କୁ କାମ ମିଳୁନି । ଫଳରେ ୫୦ରୁ ଅଧିକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି । ଆହୁରି ଅନେକ ଯିବାକୁ ପ୍ରସ୍ତୁତ ହେୁଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବାତ୍ୟାରେ ମୋଟ ୪,୬୨୦ ହେକ୍ଟର ରବି ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି ।

୩୦୦ ହେକ୍ଟର ପନିପରିବା ଫସଲ ନଷ୍ଟ ହୋଇଥିବା କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ କ୍ଷୟକ୍ଷତି ରିପୋର୍ଟରୁ ଜଣାପଡ଼ିଛି । ରବି ଫସଲ ବିଲରେ ଉଜୁଡ଼ି ଯିବା ପରେ ଖରିଫ ଧାନ ଚାଷ କରିବା ଲାଗି ଚାଷୀମାନେ ପ୍ରସ୍ତୁତି ଚଳାଇଛନ୍ତି । ଆଉକିଛି ଚାଷୀ ଖାଲ ଜମିକୁ ବେଉଷଣ କରି ବିହନ ବୁଣିବା ଯୋଜନାରେ ଅଛନ୍ତି । ମେ ମାସ ଶେଷ ହେବାକୁ ବସିଥିବା ବେଳେ ବ୍ଲକ କୃଷି ବିଭାଗ ଓ ବିହନ ନିଗମ ପକ୍ଷରୁ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦେବା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଭିଙ୍ଗାରପୁର ସ୍ଥିତ କୃଷି କାର୍ଯ୍ୟାଳୟର ବରିଷ୍ଠ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କ ସୂଚନାନୁଯାୟୀ ଏବର୍ଷ ବାଲିଅନ୍ତା ବ୍ଲକର ବିଭିନ୍ନ ମୌଜାରେ ୯ ହଜାର ହେକ୍ଟର ଖରିଫ ଧାନ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମୋଟ ୨ ହଜାରରୁ ଅଢ଼େଇ ହଜାର କୁଇଣ୍ଟାଲ ଉଭୟ ସହଳ ଓ ବିଳମ୍ବ କିସମର ଧାନ ବିହନ ଯଥା ୧୦୦୯, ୧୦୧୮, ପୂଜା, ଚେହେରାନ(ବୀଣା-୧୧), ସ୍ବର୍ଣ୍ଣ ମସୁରି ଓ ପ୍ରତୀକ୍ଷା ଆଦି ଧାନ ବିହନର ଆବଶ୍ୟକତା ରହିଛି । ସମସ୍ତ ପଞ୍ଚାୟତରେ ୧୨ଟି କୃଷି ସମବାୟ ସମିତିକୁ ଛାଡ଼ିଦେଲେ ୪ଟି ଘରୋଇ ଏଜେନ୍ସି ବିହନ ଯୋଗାଣ ଦାୟିତ୍ବରେ ଅଛନ୍ତି ।

ହେଲେ ବାତ୍ୟା କ୍ଷୟକ୍ଷତି ତଦନ୍ତ ଆଳରେ ଧାନ ବିହନ ଯୋଗାଣରେ ଅହେତୁକ ବିଳମ୍ବ ଘଟୁଥିବା କହି କୃଷି ବିଭାଗର ଅଧିକାରୀମାନେ ନିଜ ଉପରୁ ଦାୟିତ୍ବ ଖସାଉଛନ୍ତି । ଏଣେ ଚାଷୀମାନେ ଧାନ ବିହନ ପାଇଁ ବାରମ୍ବାର ବ୍ଲକ କୃଷି କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଛନ୍ତି । ଏ ସଂପର୍କରେ ସହକାରୀ କୃଷି ଅଧିକାରୀ ଶ୍ରୀ ରାଉଳଙ୍କୁ ପଚାରିବାରେ ଜୁନମାସ ପ୍ରଥମ ସପ୍ତାହ ମଧ୍ୟରେ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଚାଷବାସ ନଷ୍ଟ ହୋଇଯିବା ପରେ କୃଷି ଶ୍ରମିକମାନଙ୍କୁ ଆଉ ଗ୍ରାମରେ କାମ ମିଳୁନି ।

ତେଣୁ ପରିବାର ଚଳାଇବା ପାଇଁ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଶ୍ରମ ବିଭାଗର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ‘ଫନି’ ପରେ ରୋଜଗାରର ଅନ୍ୟ କୌଣସି ବିକଳ୍ପ ନପାଇ ବାଲିଅନ୍ତା ବ୍ଲକ ଅଞ୍ଚଳରୁ ପ୍ରାୟ ୫୦ ଜଣ ଯୁବକ ‌ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ପଳାଇଛନ୍ତି । ସାମଗ୍ରିକ ଭାବେ ଉପରୋକ୍ତ ସବୁ ସମସ୍ୟାର ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।