ଲକ୍‌ଡାଉନ୍‌ରେ ମେଲିଛି ଶିକାରୀଙ୍କ ପଞ୍ଝା : ବିପଦରେ ବନ୍ୟଜନ୍ତୁ, ୪୦ ଦିନରେ ୫୦ଶିକାରୀ ଗିରଫ

Advertisment
ଲକ୍‌ଡାଉନ୍‌ରେ ମେଲିଛି ଶିକାରୀଙ୍କ ପଞ୍ଝା : ବିପଦରେ ବନ୍ୟଜନ୍ତୁ, ୪୦ ଦିନରେ ୫୦ଶିକାରୀ ଗିରଫ

କନକ ବ୍ୟୁରୋ : ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ। ଏହାର ଭରପୂର ଫାଇଦା ଉଠାଉଛନ୍ତି ଶିକାରୀ । ବନବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ‌ଶିକାରୀମାନେ ଦିନକୁ ଦିନ ନିଜର ‌ପଞ୍ଝା ମେଲାଇ ଚାଲିଛନ୍ତି। ବଲାଙ୍ଗୀରରୁ ଆରମ୍ଭ କରି ବୌଦ୍ଧ ଅଥବା ଝାରସୁଗୁଡ଼ାରୁ ଦେବଗଡ଼; ସବୁଠି ଚାଲିଛି ଅବାଧ ଶିକାର। ପ୍ରତିଦିନ ଶିକାରୀଙ୍କ ପଞ୍ଝାରେ ଜୀବଜନ୍ତୁ ପଡ଼ୁଥିବାରୁ ଏବେ ବନ ବିଭାଗର ନିଦ ହଜିଗଲାଣି। ‌ଶିକାରୀଙ୍କୁ କାବୁ କରାଯାଉଥିଲେ ମଧ୍ୟ ଶିକାର ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି।

ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୦ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଶିକାର ଶୀର୍ଷରେ ପହଞ୍ଚିଛି। ମାତ୍ର ୪୦ଦିନ ମଧ୍ୟରେ ୫୦ରୁ ଅଧିକ ଶିକାରୀଙ୍କୁ କାବୁ କରାଯାଇଛି। ଦୁଇ ଦିନ ତଳେ ବଲାଙ୍ଗୀର ଜିଲ୍ଲା କିରିବାଞ୍ଜି ଜଙ୍ଗଲରେ ଚଢ଼ଉ କରି ବାର୍‌ହା ମାଂସ ଜବତ ସହ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫କେଜି ବାର୍‌ହା ମାଂସ, ଗୋଟିଏ ଆମେରିକାନ୍‌ ସିଙ୍ଗଲ ବୋର ବନ୍ଧୁକ, ଛୁରି, ଟାଙ୍ଗିଆ ଓ ବାଇକ୍‌ ଜବତ କରାଯାଇଥିଲା। ଏପ୍ରିଲ ପ୍ରଥମ ସପ୍ତାହରେ କୁଟୁରା ଶିକାର କରି ମାଂସ ଖାଇଥିବା କିଛି ଯୁବକଙ୍କୁ ବନ ବିଭାଗ କାବୁ କରିଛି। ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ରେଞ୍ଜରେ ରହିଥିବା ଜଙ୍ଗଲରେ ଏକ କୁଟୁରାକୁ ଦେଶୀ ବନ୍ଧୁକ‌ରେ ଶିକାର କରି ୭ଜଣ ଯୁବକ ଭାଗ କରି ନିଜ ଘରକୁ ନେଇଥିଲେ। ଘରେ ରାନ୍ଧିବା ସମୟରେ ବନ ବିଭାଗ ଖବର ପାଇ ଚଢ଼ଉ କରି ରନ୍ଧା ମାଂସ ଜବତ କରିଥିଲା। ହେଲେ ଅଭିଯୁକ୍ତମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଘଟଣାର ମାସକ ପରେ ବନ ବିଭାଗ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରିଥିଲା। ଏପ୍ରିଲ ୧୫ରେ ବୌଦ୍ଧ ବନଖଣ୍ଡ ହରଭଙ୍ଗା ବ୍ଲକ୍‌ ନୂଆପଡ଼ା ଗାଁ ନିକଟ ବାଙ୍କମୁଣ୍ଡି ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ଦୁଇଜଣ ଶିକାରୀ ଧରାପଡ଼ିଥିଲେ।

ଯେଉଁ ଶିକାରୀମାନେ ଗିରଫ ହୋଇଛନ୍ତି, ସେମାନଙ୍କୁ ବନ ବିଭାଗ ପକ୍ଷରୁ ବାରମ୍ବାର ତାଗିଦ୍‌ କରାଯାଇଛି। କିଛି ଶିକାରୀଙ୍କ ନାମରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଛି। ଲକ୍‌ଡାଉନ୍‌ ସମୟରେ ବାର୍‌ହା, କୁଟୁରା, ହରିଣ, ଗୋଧି, ଗେଣ୍ଡାଳିଆ, ହଂସରାଳୀ ଆଦି ପକ୍ଷୀ ଶିକାର କରୁଥିବା ଦେଖିବାକୁ ମିଳୁଛି। ବନ୍ୟପ୍ରାଣୀ ବିଶେଷଜ୍ଞ ଉମାକାନ୍ତ ବିଶ୍ବାଳଙ୍କ କହିବାନୁଯାୟୀ, ଲକ୍‌ଡାଉନ୍‌ ପାଇଁ ବନ ବିଭାଗ କର୍ମଚାରୀ ଯେଉଁଠି ଥିଲେ, ସେଠାରେ ରହିଗଲେ। ଜଙ୍ଗଲ ଭିତରେ ସେମାନଙ୍କ ଚଳପ୍ରଚଳ କମିଗଲା। ପରିଣାମ ସ୍ବରୂପ ଶିକାରୀମାନେ ଏହାର ଫାଇଦା ଉଠାଉଛନ୍ତି। ତା’ ସାଙ୍ଗକୁ ଏବେ ଖରାଦିନ ଆରମ୍ଭ ହୋଇଥିବାରୁ ବନ୍ୟଜନ୍ତୁ ପାଣି ପିଇବା ପାଇଁ ପୋଖରୀ ନିକଟକୁ ଆସୁଛନ୍ତି। ତେଣୁ ଶିକାରୀଙ୍କ କବଳରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ବନ୍ୟପ୍ରାଣୀ ଗବେଷିକା ତଥା ଗ୍ରୋ ଉଇଥ୍‌ ନେଚର୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କ କହିବାନୁଯାୟୀ, ଆଦିବାସୀ ଅଞ୍ଚ‌ଳରେ ଘଞ୍ଚ ଜଙ୍ଗଲ ରହିଛି। ଲକ୍‌ଡାଉନ୍‌ ସମୟରେ ବନ ବିଭାଗର କର୍ମଚାରୀମାନେ ସେଠାରେ ବୁଲି ପାରିଲେ ନାହିଁ। ଶିକାରୀମାନେ ଏହାର ଫାଇଦା ଉଠାଉଛନ୍ତି। ବର୍ତ୍ତମାନ ସମୟରେ ନିଆଁ ଲାଗିବା ଦ୍ବାରା ବନ୍ୟପ୍ରାଣୀ ଜଙ୍ଗଲ ବାହାରକୁ ଆସୁଥିବାରୁ ଲୋକେ ଶିକାର କରୁଛନ୍ତି। ଆଉ ଗୋଟିଏ କଥା ହେଉଛି ଯେ ଲୋକେ ଘରେ ରହୁଛନ୍ତି। କିଛି କାମଧନ୍ଧା ନ ଥିବାରୁ ଶିକାର କରିବାକୁ ବାହାରି ଯାଉଛନ୍ତି। ଲୋକେ ସଚେତନ ହୋଇ ବନ୍ୟପ୍ରାଣୀକୁ ଶିକାର ନ କରି ସୁରକ୍ଷା ଦିଗରେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟଙ୍କ କହିଛନ୍ତି, କେବଳ ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୪୦ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଶିକାର ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ବି ଗ୍ରହଣ କରାଯାଇଛି। ଜଙ୍ଗଲ ଭିତରେ ପ୍ରହରାକୁ କଡ଼ାକଡ଼ି କରିବାକୁ ବନ ଅଧିକାରୀମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe