ଅନ୍ଧାର ରାତିରେ ମ୍ୟାନହୋଲରେ ଖସିପଡିଲା ୫ ବର୍ଷର ଶିଶୁ : କୋଡିଏ ମିନିଟ ପରେ ଶହେ ଫୁଟ ଦୂରରୁ ଥିବା ମୁଖ୍ୟ ଡ୍ରେନରୁ କରାଗଲା ଉଦ୍ଧାର

263

କନକ ବ୍ୟୁରୋ : ଅନ୍ଧାର ରାତିରେ ମ୍ୟାନହୋଲରେ ଖସିପଡିଲା ଶିଶୁ । ମ୍ୟାନ ହୋଲରେ ଖସି ପଡିବାର କୋଡିଏ ମିନିଟ ପରେ ଶିଶୁଟି ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।ଏଭଳି ଘଟଣା ଘଟିଛି କଟକ ବଜ୍ରକବାଟିରେ । ନୂଆଦିଲ୍ଲୀରେ ଅଧ୍ୟାପନା କରନ୍ତି କଟକ ଗଙ୍ଗାମନ୍ଦିରର ଦିପ୍ତୀଙ୍କର ବେହେରା । ଗତ କିଛି ଦିନ ତଳେ ସେ ଘରକୁ ଆସିଥିଲେ । ତାଙ୍କର ଜଣେ ସଂପର୍କୀୟ ବଜ୍ରକବାଟି ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଦେଖିବାକୁ ପୁରା ପରିବାର ସହ ଆସିଥିଲେ ଦିପ୍ତୀଙ୍କର । ସାଂଗରେ ୫ ବର୍ଷର ଶିଶୁପୁତ୍ର ଦିବ୍ୟାଂଶୁ ମଧ୍ୟ ଆସିଥିଲେ ।

ତେବେ ହସ୍ପିଟାଲରୁ ଫେରିବା ବେଳେ ଫେରିବା ସମୟରେ ହଠାତ ବିଦ୍ୟୁତ ଚାଲିଯାଇଥିଲା । ଏହି ସମୟରେ ପରିବାର ଲୋକେ ନର୍ସିଂହୋମ ଫାଟକ ପାଖରେ ଥିବା ବେଳେ ଦିବ୍ୟାଂଶୁ ବାହାରକୁ ଚାଲିଆସିଥିଲା । ମାତ୍ର ଅନ୍ଧାର ହେତୁ ସେ ରାସ୍ତା ଜାଣିନପାରି ନର୍ସିଂହୋମ ସମ୍ମୁଖରେ ଥିବା ମ୍ୟାନହୋଲରେ ପଡିଥିଲା ।ଏହା ପରେ ଅନ୍ଧାରରେ ନର୍ସିଂହୋମର କିଛି କର୍ମଚାରୀ ସଂଗେ ସଂଗେ ବଜ୍ରକବାଟୀ ମୁଖ୍ୟ ଡ୍ରେନକୁ ଡେଇଁ ପଡିଥିଲେ ।

ଲାଇଟ ନଥିବାରୁ ମୋବାଇଲ ଲାଇଟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଶହେ ଫୁଟ ଦୂରରୁ ଶିଶୁଟିକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ମୁଖ୍ୟ ଡ୍ରେନ ଉପରେ କିଛି ଅଂଶ କଂକ୍ରିଟ ଛାତ ରହିଥିବା ବେଳେ ଶିଶୁଟି ଛାତ ତଳୁ ପାର ହୋଇ ଖୋଲା ଡ୍ରେନକୁ ଚାଲିଯାଇଥିଲା । ମୁର୍ମୁଷ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରିବା ପରେ ନର୍ସିଂହୋମରେ ଭର୍ତି କରାଯାଇଥିଲା । ପରେ ଏବେ ଏସସିିବିକୁ ପଠାଯାଇଥିଲା । ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।