ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପରିଚୟ : ପବନ ଚାମଲିଙ୍ଗଙ୍କ ପରି କ୍ରମାଗତ ୫ମ ଥର ପାଇଁ ଅଳଙ୍କୃତ କରିବେ ମୁଖ୍ୟମନ୍ତ୍ରୀ ଆସନ

491

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପୁଣି ଥରେ ରାଜ୍ୟରେ ବିଜେଡି ଜନତାଙ୍କ ବିଶ୍ୱାସ ଜିତି ପାରିଛି । ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଗଠନ କରିବାକୁ ଯାଉଛି । ସାରା ଦେଶରେ ମୋଦିଙ୍କ ହାୱା ବହୁଥିବା ବେଳେ ନବୀନଙ୍କ ଲୋକପ୍ରିୟତା ଆଗରେ ଓଡ଼ିଶାରେ କାମ କରିନାହିଁ ମୋଦିଙ୍କ ଯାଦୁ । ପୁଣିଥରେ ନବୀନଙ୍କ ଉପରେ ଅଖଣ୍ଡ ଆସ୍ଥା ରଖିଛନ୍ତି ଓଡ଼ିଶାବାସୀ ।

ଲଗାତାର ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସିକିମ୍ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ପରେ ଲଗାତାର ନବୀନ ପଟ୍ଟନାୟକ ସାରା ଦେଶରେ ଦ୍ବିତୀୟ ନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଷୋଡ଼ଶ ବିଧାନସଭା ପାଇଁ ବିଜେଡି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । ଆସନ୍ତା ଦିନେ ଦୁଇଦିନ ଭିତରେ ବିଜେଡିର ନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିଧାୟକ ଦଳର ନେତାଭାବେ ଚୟନ କରି ଔପଚାରିକତା ପୁରା କରିବେ ।

ପ୍ରକାଶଥାଉକି, ୨୦୦୦ ମସିହାରୁ ଆଜିଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ରାଜ୍ୟର ଶାସନଭାର ଗ୍ରହଣ କରିଆସିଛନ୍ତି । ରାଜ୍ୟର ମହିଳାଙ୍କଠୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ପାଇଁ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିଆସୁଥିବାରୁ ବାରମ୍ବାର ନବୀନଙ୍କ ଉପରେ ଲୋକେ ଆସ୍ଥା ପ୍ରକଟ କରିଆସୁଛନ୍ତି ।

ନବୀନଙ୍କ ସମକକ୍ଷ ଭାବେ ସିକିମର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ପବନ ଚାମଲିଙ୍ଗ ମଧ୍ୟ ସିକିମ ଡେମକ୍ରାଟିକ ଫ୍ରଣ୍ଟ୍ ଦଳରୁ ୫ଥର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । ପ୍ରଥମ ଥର ପାଇଁ ୧୯୯୪ ମସିହା ଡିସେମ୍ବର ୧୨ ତାରିଖରେ ପ୍ରଥମ ଥର ପାଇଁ ଶ୍ରୀ ଚାମଲିଙ୍ଗ ସିକିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଭାବେ ବରିଷ୍ଠ ସିପିଏମ ନେତା ଜ୍ୟୋତିରିନ୍ଦ୍ର ବସୁ ୧୯୭୭ରୁ ୨୦୦୦ ମସିହା ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।