ପଞ୍ଚମ ପାଳିରେ ଶକ୍ତ ନବୀନ : ଆଜି ସଚିବାଳୟରେ ୫-ଟି କାର୍ଯ୍ୟକାରୀତା ନେଇ ବସିବ ବୈଠକ,ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

419

କନକ ବ୍ୟୁରୋ : ପଞ୍ଚମ ଥର ପାଇଁ ବିଜେଡ଼ି ସରକାର ଗଢ଼ିବା ପରେ ଅଧିକ ଶକ୍ତ ହୋଇ ପଡ଼ିଛନ୍ତି ବିଜେଡ଼ି ସୁପ୍ରିମୋ । ନିୟମିତ ରୂପେ ନେତାମନ୍ତ୍ରୀଙ୍କ କ୍ଲାସ୍ ନେଉଛନ୍ତି । ନୂଆ ମନ୍ତ୍ରୀଙ୍କ ଠାରୁ ମାସିକିଆ ରିପୋର୍ଟ କାର୍ଡ଼ ମାଗିବା ସହ ପଞ୍ଚମ ପାଳିରେ ୫-ଟି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାର ସାଢ଼େ ଚାରିକୋଟି ଜନତା ଚଳିତ ନିର୍ବାଚନରେ ବି ବିଜେଡ଼ି ସରକାର ଉପରେ ଆସ୍ଥା ଓ ବିଶ୍ୱାସ ବଜାୟ ରହିଥିବା ସ୍ପଷ୍ଟ ନଜର ଆସୁଛି । ଆଉ ଏଥିପାଇଁ ଜନତାଙ୍କ ଭରସାକୁ ଭାଙ୍ଗିବାକୁ ଚାହୁଁନାହାନ୍ତି ନବୀନ । ଜନତାଙ୍କ ସେବାରେ ଜୀବନ ଉତ୍ସର୍ଗୀକୃତ କରିବା ପାଇଁ ନେତାମନ୍ତ୍ରୀଙ୍କୁ ଆହ୍ୱାନ ଦେବାସହ ପ୍ରତ୍ୟେକ୍ଷ ରୂପେ ନିଜେ ସମସ୍ତ ବିଭାଗର ଦାୟିତ୍ୱକୁ ତଦାରଖ କରୁଛନ୍ତି । ଲୋକଙ୍କ ସୁବିଧା ସୁଯୋଗକୁ ପ୍ରାଥମିକତା ଦେବା ଉପରେ ଚଳିତ ପାଳିରେ ଜୋର ଦେଉଛନ୍ତି ନବୀନ । ଏହି କ୍ରମରେ ଆଜି ୫-ଟି କାର୍ଯ୍ୟକାରୀତା ସମୀକ୍ଷା କରିବେ ମୁଖ୍ୟମନ୍ତୀ ।

ସ୍ୱଚ୍ଛ ଓ ସକ୍ରିୟ ପ୍ରଶାସନ ପାଇଁ ୫ମ ଇନିଂସରେ ୫-ଟିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସୁପ୍ରିମୋ ନବୀନ । ଆଜି ସନ୍ଧ୍ୟାରେ ସଚିବାଳୟରେ ୫-ଟି କାର୍ଯ୍ୟକାରୀତା ନେଇ ବସିବ ବୈଠକ । ବୈଠକରେ ମନ୍ତ୍ରୀ, ସଚିବ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ୫-ଟି ଦିଗରେ କେତେ କାମ ହୋଇପାରିଛି ସେ ଦିଗରେ ଆଲୋଚନା ହେବ । ବିଜେଡ଼ି ମୁଖିଆ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ପରେ ସମସ୍ତ ମନ୍ତ୍ରୀଙ୍କୁ ୫-ଟି ମନ୍ତ୍ର ଦେଇଥିଲେ । ଚତୁର୍ଥ ପାଳିରେ ୩ଟିକୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିରେ ୫-ଟି ଉପରେ ଗୁରୁତ୍ୱ ଦେଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବରୁ ୩-ଟି ଯଥା ଟିମୱର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଉଥିବା ବେଳେ ପଞ୍ଚମ ଥର ସରକାର ଗଢ଼ିଲା ପରେ ଆଉ ୨-ଟି ଯଥା ଟ୍ରାନ୍ସଫରମେସନ୍ ଓ ଟାଇମକୁ ଗୁରୁତ୍ୱ ଦେଇ କାର୍ଯ୍ୟ ତୁଳାଇବାକୁ ମନ୍ତ୍ରୀମଣ୍ଡଳକୁ ପରାମର୍ଶ ଦେଇଥିଲେ ।

୨୦୧୯ ନିର୍ବାଚନ ଜିତି ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି ନବୀନ । ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ ପରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଫୋସକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫୋନି ସମୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ସହ ବାତ୍ୟାର ସଫଳ ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଥିଲା । ଏପରିକି ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । ପଂଚମ ଇନିଙ୍ଗସର ଏକ ମାସରେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ନେବାରେ ସଫଳ ହୋଇଛନ୍ତି ନବୀନ ।

ସରକାର ଗଠନ ପରେ ମହିଳାଙ୍କ ବିକାଶ, ଶସକ୍ତ ଓଡ଼ିଶା ଓ ଗରିବି ଦୂର କରିବା ଦିଗରେ ଅଧିକ ସଚେତନ ନବୀନ । ବାରମ୍ବାର ନେତାମନ୍ତ୍ରୀ ମାନଙ୍କୁ ଏନେଇ ତାଗିଦ୍ କରୁଛନ୍ତି । ପ୍ରତି ମୁହୂର୍ତ୍ତରେ ଲୋକଙ୍କ ହିତରେ କାମ କରିବାପାଇଁ ସହ ସେମାନଙ୍କ ଆଶା ପୂରଣ କରିବା ପାଇଁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ବିଜେଡିର ଲଗାତାର ସଫଳତା ନେଇ ପଚାରିଲେ ଏହାର ଉତ୍ତରରେ ଦୁଇଟି କଥା କୁହାଯାଇପାରେ । ରାଜନୈତିକ ଜୀବନରେ ସରଳତା ରଖି ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦେଇ ସମାଧାନ ଏବଂ ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ଯୋଗୁଁ ବିଜେଡିକୁ ଏହି ସଫଳତା ମିଳୁଛି ।