ସଂଘର୍ଷ ଓ ସଫଳତାର କାହାଣୀ : ଓଡ଼ିଶା ପାଇଁ ଗୌରବ ଆଣିଲେ କିନ୍ନର ରାଣୀ, ମିଳିଲା ଭାରତର ନମ୍ବର ୧ ଉବର ଡ୍ରାଇଭରର ମାନ୍ୟତା

834

କନକ ବ୍ୟୁରୋ : ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ । ଭାରତର ୧ ନମ୍ବର ଉବର ଡ୍ରାଇଭର ହେଲେ ଓଡ଼ିଆ କିନ୍ନର ରାଣୀ । ୫ ଷ୍ଟାର ରେଟିଂ ପାଇଥିବା ପ୍ରଥମ ଉବର ଚାଲକ ରାଣୀ । ଉବର ଆପ୍ ପାଇଁ ରାଣୀଙ୍କୁ ମିଳିଲା ସର୍ବଶ୍ରେଷ୍ଠ ରେଟିଂ ପାଇଥିବା ଡ୍ରାଇଭରର ମାନ୍ୟତା । କିନ୍ନର ମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳ ହୋଇପାରିଛନ୍ତି ରାଣୀ । ଲୋକଙ୍କ ଟାହିଟାପରାକୁ ଖାତିର ନକରି କିଛି ନୂଆ କରିବାର ଆକାଂକ୍ଷା ତାଙ୍କୁ ଭିନ୍ନ ପରିଚୟ ଦେଇଛି । ରାଜଧାନୀବାସୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛନ୍ତି ରାଣୀ । ସବୁ ଟାହିଟାରାକୁ ସହି ସଂଘର୍ଷ ଓ ସଫଳତାର କାହାଣୀ ଲେଖିଛନ୍ତି କିନ୍ନର ରାଣୀ ।

କିନ୍ନର ରାଣୀ । ଆଉ ରାଣୀଙ୍କ ପ୍ରିୟ ସାଥୀ ଉବର୍ ଆପ୍ । ରାଜଧାନୀ ବାସୀଙ୍କୁ ସୁରକ୍ଷିତ ତଥା ଠିକ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ପ୍ରତିଦିନ ବାହାରି ପଡ଼ନ୍ତି ରାଣୀ । ହେଲେ ରାଣୀଙ୍କ ପାଇଁ ସହଜ ନଥିଲା ଯାତ୍ରା । କିନ୍ନର ହୋଇଥିବାରୁ ସମସ୍ତଙ୍କ ପରି ସେ ମଧ୍ୟ ଅନେକ ଭେଦଭାବର ଶିକାର ହୋଇଛନ୍ତି । ସେଥିପ୍ରତି ନଜର ନଦେଇ ନିଜ ପାଇଁ ନିଜେ ହୀରୋ ପାଲଟିଛନ୍ତି ରାଣୀ । କାହା ଆଗରେ ହାତ ନପାରି ଆଗେଇ ଚାଲିଛନ୍ତି ରାଣୀ । ସମାଜର ପ୍ରତିକୂଳ ପରିସ୍ଥିତିରେ କେବଳ ଯାତ୍ରା ଓ ଯାତ୍ରୀଙ୍କ ବିଷୟରେ ଚିନ୍ତା କରି ଡ୍ରାଇଭିଂ କରନ୍ତି ରାଣୀ । ଲୋକଙ୍କ ମାନସିକତାର ଚିନ୍ତା ନଥାଏ । ଆପ୍ ମାଧ୍ୟମରେ ଗାଡ଼ି ବୁକିଂ ହେବାମାତ୍ରେ ଲୋକଙ୍କ ପାଖରେ ପହଞ୍ଚିଯାଆନ୍ତି ରାଣୀ । ସର୍ବାଧିକ ୫ ଷ୍ଟାର ରେଟିଂ ପାଇଥିବା ସମସ୍ତ ଡ୍ରାଇଭଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ରାଣୀ । ୫ ଷ୍ଟାର ରେଟିଂ ପାଇବାରେ ସେ ଦେଶର ପ୍ରଥମ କିନ୍ନର ଡ୍ରାଇଭର ହୋଇଛନ୍ତି କିନ୍ନର ରାଣୀ । ଅନ୍ୟ କାହାକୁ ପ୍ରେରଣା ନକରି ନିଜ ପାଇଁ ତଥା କିନ୍ନର ସମାଜ ପ୍ରତି ଉଦାହରଣ ପାଲଟିଛନ୍ତି ।

ତେବେ କିନ୍ନର ସମାଜ ପ୍ରତି ଦୟା ଦେଖାଇ ତାଙ୍କୁ ମିଳିନି ଏହି ରେଟିଂ । ରାଣୀଙ୍କ ଦକ୍ଷ ଗାଡ଼ି ଚାଳନା ଓ ଉତ୍ତମ ବ୍ୟବହାରେ ଖୁସି ତାଙ୍କୁ ରେଟିଂ ମଳିଛି । ଦୟାର ପାତ୍ର ହୋଇ ନୁହେଁ କର୍ତ୍ତବ୍ୟ କରି ସେ ଆଜି ସଫଳତାର ସ୍ୱାଦ ଚାଖିଛନ୍ତି । ୨୦୧୭ରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଚଳାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଣ୍ଟିଥିଲେ ରାଣୀ । ରାଣୀଙ୍କ ଏହି ସଫଳତା ତାଙ୍କ ସମାଜକୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି ।