ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର : ଜଣେ ୧୨ ବର୍ଷୀୟ ନାବାଳକ ଆକ୍ରାନ୍ତ ଚିହ୍ନଟ, ସବୁ ଆକ୍ରାନ୍ତଙ୍କ ବୟସ ୧୨ରୁ ୩୮ ବର୍ଷ

4,518

କନକ ବ୍ୟୁରୋ : ଆଜି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଆକ୍ରାନ୍ତଙ୍କ ବୟସ ୧୨ ବର୍ଷରୁ ୩୮ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ୫ ଆକ୍ରାନ୍ତଙ୍କ ମଧ୍ୟରେ ୨ ମହିଳା, ୨ ପୁରୁଷ, ଜଣେ ନାବାଳକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ତେବେ ସମସ୍ତ ଆକ୍ରାନ୍ତ ପୂର୍ବଙ୍କ ନିକଟ ସଂପର୍କୀୟ ବୋଲି ଟ୍ୱିଟ୍ କରି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦୁଇ ମହିଳାଙ୍କ ବୟସ ୩୪ ହୋଇଥିବା ବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ ରହିଛି ୩୮ ଓ ୨୬ । ଜଣେ ୧୨ ବର୍ଷିୟ ନାବାଳକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ମିଶାଇ ଏବେ ସୁଦ୍ଧା ରାଜ୍ୟରେ ମୋଟ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତକାଲି ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ବାଲେଶ୍ୱରର ଥିଲେ । ଆଉ ସେମାନଙ୍କ ମଧ୍ୟରେ ଜଣେ କୁନି ଝିଅ ଠାରେ କରୋନା ଭୂତାଣୁ ଠାବ ହୋଇଥିଲା । ଗତ ୪୮ ଘଂଟାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୩ଟି ସକ୍ରିୟ ମାମଲା ରହିଛି । ବିଭିନ୍ନ ଡାକ୍ତରଖାନାରେ ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ୨୦ ଏପ୍ରିଲ ଅର୍ଥାତ୍ ଗତକାଲି ସୁଦ୍ଧା ରାଜ୍ୟରେ ୧୧ ହଜାର ୭ଶହ ୪୮ଟି ନମୁନା ପରୀକ୍ଷା କରାଯାଇଛି । ୪ ହଜାର ୮୬୧ଟି ରାପିଡ୍ ଆଂଟିବଡି ଟେଷ୍ଟ କରାଯାଇଛି । ଏହାରି ଭିତରେ ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବିଭିନ୍ନ ଜିଲ୍ଲା ଓ ଭୁବନେଶ୍ୱରକୁ ମିଶାଇ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତମାନ ସୁଦ୍ଧା ରାଜ୍ୟରେ ୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖୋର୍ଦ୍ଧାରେ ୪୬ ଜଣ, ବାଲେଶ୍ୱର ଓ ଭଦ୍ରକରେ ୮ଜଣ ଲେଖାଁଏ, ଯାଜପୁରରେ ୭ ଜଣ, ସୁନ୍ଦରଗଡରେ ୩ ଜଣ, କେନ୍ଦ୍ରପଡା ଓ କଳାହାଣ୍ଡିରେ ୨ ଜଣ ଲେଖାଁଏ , କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇଛନ୍ତି ।