ଦେଶରେ ୧୦ ଦିନ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିବ । ଲଗାତାର ୩ ଦିନ ଧରି ୧୧ ହଜାରରୁ ଅଧିକ ମାମଲା, ୩ ରାଜ୍ୟରୁ ୬୦%ରୁ ଅଧିକ ସଂକ୍ରମଣ ମାମଲା

325

କନକ ବ୍ୟୁରୋ : ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୧୧ ହଜାରରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୧୧ ହଜାର ୫୦୨ ଜଣ ସଂକ୍ରମିତ ହୋଇଥିବାବେଳେ ୩୨୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩ ଲକ୍ଷ ୩୨ ହଜାର ଟପିଯାଇଛି। ରବିବାର ଦିନ ଭାରତ ୧ ଲକ୍ଷ ୧୫ ହଜାର ୫୧୯ ଜଣଙ୍କ କରୋନା ଟେଷ୍ଟ୍‌ କରିଥିବାବେଳେ ଏଥି ମଧ୍ୟରୁ ୧୧ ହଜାର ୯୨୯ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ଅନ୍ୟପକ୍ଷେ ଦେଶରେ ଏବେ ମୋଟ୍‌ ମୃତ୍ୟୁସଂଖ୍ୟା ୯ ହଜାର ୫୨୦ରେ ପହଞ୍ଚିଛି। ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ସଂକ୍ରମଣ ବଢ଼ିଚାଲିଛି ।

ଦେଶରେ ୬୦ ପ୍ରତିଶତରୁ ଅଧିକ ମାମଲା ଏହି ୩ ରାଜ୍ୟରୁ ଚିହ୍ନଟ ହୋଇଛି । ମହାରାଷ୍ଟ୍ର‌ ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ। ମହାରାଷ୍ଟ୍ରରେ ମାମଲା ୧ ଲକ୍ଷ ୮ ହଜାରରୁ ଅଧିକ ଥିବାବେଳେ ତାମିଲନାଡ଼ୁରେ ୪୪ ହଜାରରୁ ଅଧିକ ଏବଂ ଦିଲ୍ଲୀରେ ୪୧ ହଜାରରୁ ଅଧିକ ମାମଲା ରହିଛି । ମୋଟ୍‌ ସଂକ୍ରମଣ ମାମଲାର ୬୦ ପ୍ରତିଶତରୁ ଅଧିକ ଏହି ୩ଟି ରାଜ୍ୟରେ ରହିଛି । ତେବେ ଦିଲ୍ଲୀ ପରେ ଗୁଜରାଟ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସଂକ୍ରମଣ ବଢ଼ିଛି । କିନ୍ତୁ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଦେଶରେ ଆରୋଗ୍ୟ ହାର ବଢ଼ିବା ଆଶ୍ବସ୍ତିକର ହୋଇଛି ।

ତଥ୍ୟ ଅନୁଯାୟୀ ଦେଶରେ ‌ଯେମିତି ସଂକ୍ରମଣ ବଢ଼ି ଚାଲିଛି ଯଦି ତାହା ବଜାୟ ରହେ ତେବେ ଆସନ୍ତା ୫ ଦିନ ମଧ୍ୟରେ ଦେଶରେ ମାମଲା ୪ ଲକ୍ଷ ଟପିଯିବ ଏବଂ ୧୦ ଦିନ ମଧ୍ୟରେ ସଂକ୍ରମଣ ମାମଲା ୫ ଲକ୍ଷ ଟପିଯିବ। ସଂକ୍ରମଣ ମାମଲା ବଢ଼ୁଥିବାରୁ ଭାରତ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀ ଉପରେ ଫୋକସ୍‌ କରାଯାଇଛି। ଦିଲ୍ଲୀପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଅନ୍ୟପକ୍ଷେ ଦେଶରେ ମୃତ୍ୟୁସଂଖ୍ୟା ୯ ହଜାର ୫୦୦ ଟପିବା ସହ ଭାରତ ଏବେ ବିଶ୍ବରେ ସର୍ବାଧିକ ମୃତ୍ୟୁସଂଖ୍ୟା ଥିବା ରାଷ୍ଟ୍ରଭାବେ ନବମ ସ୍ଥାନରେ ରହିଛି।