ମନ ମୋହୁଛନ୍ତି ପାଟଣାଗଡର ଶିଶୁ କଣ୍ଠଶିଳ୍ପୀ : ପଞ୍ଚମ ଶ୍ରେଣୀ ଛାତ୍ରୀ ଗାଇଥିବା ଲୋକଗୀତ ସୋସିଆଲ ମିଡିଆରେ ଭାଇରାଲ, ଯିଏ ଶୁଣୁଛି, ମନ୍ତ୍ରମୁଗ୍ଧ ହେଉଛି

288

କନକ ବ୍ୟୁରୋ : କୁନି କଣ୍ଠଶିଳ୍ପୀ । ୧୦ ବର୍ଷର କୁନି ଝିଅ ଅତି ଚମତ୍କାର ଗୀତ ଗାଉଛି । ସୁମଧୁର କଣ୍ଠର ଯାଦୁ ସମସ୍ତଙ୍କ ମନ ମୋହୁଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବର୍ଷାରାଣୀ ତ୍ରିପାଠୀ ଏବେ ସୋସିଆଲ ମିଡିଆରେ ବେଶ୍ ପରିଚିତ ହେବାରେ ଲାଗିଛନ୍ତି । ଓଡିଆ, ସମ୍ବଲପୁରୀ, ହିନ୍ଦି ଦେଶାତ୍ମବୋଧକ ଗୀତକୁ ବର୍ଷା ଯେମିତି ଗାଉଛି, ଯାହା ନ ଶୁଣିଲେ ବିଶ୍ୱାସ କରିହେବ ନାହିଁ । ତାଙ୍କ ଗୀତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସଂଗୀତପ୍ରେମୀ ଓ ସଂଗୀତଙ୍କମାନଙ୍କୁ ମଧ୍ୟ ମୁଗ୍ଧ କରିଛି । ଆଉ ଗୋଟେ ବଡ କଥା ହେଲା ଉଚ୍ଚକୋଟୀର ଗୀତ ଗାଇପାରୁଥିବା ବର୍ଷା କୌଣସି ସଙ୍ଗୀତ ଶିକ୍ଷା ନେଇନାହିଁ ।

କୁନି ଝିଅ ବର୍ଷା ରାଣୀ ତ୍ରିପାଠୀ । ପାଟଣାଗଡ ପ୍ରାଥମିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ପଢ଼ନ୍ତି । ଫେସ୍ବୁକ୍ ଓ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପରେ ଭାଇରାଲ ହେବାରେ ଲାଗିଛି ତାଙ୍କ କଣ୍ଠର ଦଣ୍ଡନାଚ ଗୀତ, କୃଷ୍ଣଗୀତ ଓ ପାରାୟଣ ଗୀତ। ‘ଦୂତୀ ମୁଖୁ ଶୁଣି ପୀତବାସ.., ‘ଧନକେ ମୋ ମନର୍ କଥା ଗୋ ଆରୁ କିଏ କହେବା ଯେ.., ଅକ୍ରୂରରେ, ନ ଯା ରାମକୃଷ୍ଣ ନେଇ.., ‘କଳାହାହ୍ନୁ ବଇଁଶିଧାରୀ ମୋ ନୀଲ ରତନ.. ଆଦି ଗୀତକୁ ଅତ୍ୟନ୍ତ ସୁଲଳିତ ଓ ନିଆରା ଅନ୍ଦାଜରେ ଗାଉଛନ୍ତି ବର୍ଷା ।

ମୋବାଇଲ ପାଲଟିଛି ବର୍ଷାଙ୍କ ଗୁରୁ । ମୋବାଇଲରେ ଗୀତ ଶୁଣି ସେ ତାର ସଙ୍ଗୀତ ସାଧନା ଜାରି ରଖିଛି । ଓଡିଆ, ସମ୍ବଲପୁରୀ, ହିନ୍ଦି ଦେଶାତ୍ମବୋଧ ଗୀତକୁ ବର୍ଷା ଯେମିତି ଗାଉଛି ଯାହା ନ ଶୁଣିଲେ ବିଶ୍ୱାସ କରିହେବ ନାହିଁ । ସ୍କୁଲର ଶିକ୍ଷୟିତ୍ରୀ ଲୀନା ମେହେର କିଛି ଦିନ ତଳେ ବର୍ଷାର ଏକ ଗୀତ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ପରେ କୁନି ଝିଅର କଣ୍ଠରୁ ଏପରି ଉଚ୍ଚକୋଟିର ଗୀତକୁ ହଜାର ହଜାର ଲୋକ ଶୁଣିବା ସହ ପସନ୍ଦ କରିଥିଲେ ।