ବାପା ନାହିଁ , ମା ବି ପର କରି ଛାଡ଼ି ଚାଲିଗଲା. . . . ଚାରି କୁନି କୁନି ଭାଇଙ୍କ ମା’ ସାଜିଛି ବଡ଼ଭାଇ, ଘରର ମୂରବୀ ସାଜି ସମସ୍ତ ଅଳିଅର୍ଦ୍ଦଳୀ ସହି କଅଁଳ ମୁହଁରେ ଦାନା ଦେଉଛି ୧୨ ବର୍ଷିୟ ଗୁରୁଭା

3,331

କନକ ବ୍ୟୁରୋ : ମା’ ନାହିଁ ସିନା ବଡ଼ ଭାଇ ତ ଅଛି । ମା’ର ସ୍ନେହବୋଳା ପଣତକାନି ପାଲଟିଛି ବଡ଼ଭାଇର ଚିରାଫଟା ସାର୍ଟ । ଚାରି କୁନି କୁନି ସାନ ଭାଇଙ୍କ ଅଳିଅର୍ଦ୍ଦଳୀ ସହୁଛି ବଡ଼ଭାଇ । କଥାରେ ଅଛି ଦୁଃଖ ଆସିଲେ ଭାଇ ଭାଇ ବନ୍ଧୁ କୁଟୁମ୍ବ ନେଇ ଆସେ । ପ୍ରଥମେ ବାପା ଚାଲିଗଲେ, ଆଉ ତା’ପରେ ପାଞ୍ଚପିଲାଙ୍କୁ ପର କରି ମା’ ବି ଘର ଛାଡ଼ି ଚାଲିଗଲା । ଅନାଥ ହୋଇଗଲେ ପାଞ୍ଚ ଭାଇ । ଏତେ ବଡ଼ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । ଚାରି ସାନ ଭାଇଙ୍କ ଦାୟିତ୍ୱ ଏବେ ୧୨ ବର୍ଷିୟ ବଡ଼ଭାଇ ଗୁରୁଭା ଉପରେ ।  ଗୁରୁଭା ଏବେ ଉଭୟ ମା’ବାପା ସାଜି ଚାରିଭାଇଙ୍କ ଅଳି ଅର୍ଦ୍ଦଳୀ ସହୁୁଛି । ନିଜେ ଓପାସ ରହି ମାଗିଯାଚି ଭାଇମାନଙ୍କ ମୁହଁରେ ଦାନା ଦେଉଛି ।

ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଅନ୍ତର୍ଗତ ପଦୁଗିରିଶୋଳ ଗାଁର ପାଞ୍ଚ ଭାଇ  ଗୁରୁଭା, ବିଶ୍ୱନାଥ, ମୋହନ, ରାମ ଓ ଲକ୍ଷ୍ମଣ । ୧୨ ବର୍ଷିୟ ଗୁରୁଭା ସବୁଠାରୁ ବଡ଼ ।  ଯେଉଁ ବୟସରେ ପାଠପଢ଼ି, ଖେଳିବୁଲି ସମୟ କାଟିବା କଥା, ସେହି ସମୟରେ ଘରର ମୁରବୀ ସାଜିଛି ଗୁରୁଭା । ଚାରିବର୍ଷ ପୂର୍ବେ ବାପା ସିଙ୍ଗରାୟ ସୋରେନଙ୍କ ଦେହାନ୍ତ ପରେ ମୂଲ ଲାଗି ଘର ଚଳାଉଥିଲେ ମା’ ମୁନି ସୋରେନ୍ । ହେଲେ କିଛି ଦିନ ପୂର୍ବରୁ ମା’ ବି ପର କରି କେଉଁଆଡ଼େ ଚାଲିଗଲା ଯେ ଆଉ ଫେରୁନି । ପାଠପଢ଼ା ଛାଡ଼ି ମା’ର କର୍ତ୍ତବ୍ୟ କରୁଛି ବଡ଼ଭାଇ । ମାଗି ଯାଚି ଯାହା ପାଉଛି କୁନି କୁନି ଭାଇଙ୍କ ମୁହଁରେ ଦେଉଛି ।

ଷଷ୍ଠ ଶ୍ରେଣୀ ପରଠାରୁ ଗୁରୁଭାର ପାଠପଢ଼ାରେ ଡୋରୀ ବନ୍ଧା ହୋଇଛି । ପଢ଼ିବାକୁ ଇଚ୍ଛା ଥିଲେ ସାନ ସାନ ଭାଇଙ୍କ କଥା ଚିନ୍ତା କରି ଘଡ଼ିଏ ଅଟକି ଯାଉଛି ଗୁରୁଭା । ପେଟ ପୋଡ଼ି ଯାଉଥିବା ବେଳେ ପାଠପଢ଼ା ବିଷୟରେ ଭାବିବାକୁ ବେଳ ନାହିଁ । କେବଳ ଗୁରୁଭା ନୁହେଁ ଆଉ ଦୁଇ ଭାଇ ବିଶ୍ୱନାଥ ଓ ମୋହନର ମଧ୍ୟ ପାଠପଢ଼ା ଅଧାରେ ବନ୍ଦ ହୋଇଯାଇଛି । ଜାଆଁଳା ଦୁଇ ଭାଇ ରାମ ଓ ଲକ୍ଷ୍ମଣ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠ ପଢ଼ୁଛନ୍ତି । କୁନି କୁନି ଭାଇଙ୍କ ନିଷ୍ପାପ ମୁହଁକୁ ଚାହିଁଲେ ବାପାମା’ଙ୍କୁ ହରାଇବାର ଦୁଃଖ ଭୁଲିଯାଉଛି ଗୁରୁଭା ।

ରୋଷେଇବାସ ଠାରୁ ଆରମ୍ଭ କରି ଘରର ସମସ୍ତ କାମ ଗୁରୁଭା ମୁଣ୍ଡରେ । ହାତରେ ଭଲରେ ଖାଇ ଶିଖିନଥିବା ଭାଇଙ୍କର ମା’ ପରି ଯତ୍ନ ନେଉଛି । କାହାକୁ କିଛି କହୁନଥିଲେ ହେଁ ଆଜି ବି ମା’ର ଫେରିବା ବାଟକୁ ଚାହିଁ ରହିଛି ଗୁରୁଭା । ତା’ର ପେଜୁଆ ମୁହଁ ଦେଖିଲେ ତା’ର ଏକଲାପଣ ସ୍ପଷ୍ଟ ବାରି ହୋଇପଡ଼ୁଛି । ସରକାରଙ୍କ ଟଙ୍କିକିଆ ଚାଉଳ ଓ ପଡ଼ୋଶୀଙ୍କ ସହାୟତାରେ ଯାହା ମାଣେମୁଠେ ମିଳୁଛି ସେତିକିରେ କଷ୍ଟେମଷ୍ଟେ ପେଟ ପୁରାଉଛନ୍ତି ପାଞ୍ଚ ଭାଇ । ତେବେ ସରକାର ଯଦି ବାପାମା’ ଛେଉଣ୍ଡ ପିଲାଙ୍କୁ ସାହାଯ୍ୟ କରନ୍ତେ, ସେମାନେ ପାଠ ପଢ଼ିପାରନ୍ତେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି ।