ରାଜ୍ୟରେ ଆଉ ୪୮ କରୋନା ପଜିଟିଭ୍ ଚିହ୍ନଟ । କନ୍ଧମାଳ ଛୁଇଁଲା ଭାଇରସ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଲା ।

2,533

କନକ ବ୍ୟୁରୋ : ଓଡ଼ିଶାରେ କରୋନା ଭାଇରସ୍ ଜିଲ୍ଲା ପରେ ଜିଲ୍ଲା ଡେଉଁଛି । ରାଜ୍ୟରେ ଆଜି ପୁଣି ଆଉ ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ କରୋନା ଜେଲକୁ ବ୍ୟାପିଛି । ଏହାସହ ଆଜି କନ୍ଧମାଳ ଜିଲ୍ଲା ଛୁଇଁଛି ଭାଇରସ୍ । କନ୍ଧମାଲ ଜିଲ୍ଲାରୁ ଆଜି ପ୍ରଥମ ଥର ପାଇଁ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ହୋଇଥିବା ବେଳେ ୬୫୨ଟି ସକ୍ରିୟ ମାମଲା ରହିଛି । ଆଜି ସୁଦ୍ଧା ମୋଟ୍ ୨୩ ଜିଲ୍ଲାକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ । ଏବଂ ଅନ୍ୟ ଜଣକ ଜେଲରୁ ଚିହ୍ନଟ ହୋଇଛନ୍ତି । ଆଜି ଯାଜପୁରରୁ ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ପଜିଟିଭ୍ ବାହାରିଛନ୍ତି । ସେହିପରି ବଲାଙ୍ଗୀର, କନ୍ଧମାଳରୁ ୨ ଜଣ ଲେଖାଏଁ ଓ ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ୩୦୦ ପାର କରିଛି । ଗଞ୍ଜାମରେ ୩୦୭, ଯାଜପୁରରେ ୧୩୭, ପୁରୀରେ ୨୯, କେନ୍ଦ୍ରାପଡ଼ାରେ ୩୦, ନୟାଗଡ଼ାରେ ୯, ବଲାଙ୍ଗୀରରେ ୬ରେ ପହଞ୍ଚିଛି ମୋଟ୍ ରୋଗୀ ସଂଖ୍ୟା ।