ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ : ଯୁଦ୍ଧକାଳୀନ ଭିତିରେ ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ କୋର୍ଟ

1,241

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟ ତଥା ଦେଶରେ ଦୁଷ୍କର୍ମ ବଢ଼ିବାରେ ଲାଗିଛି । କାମୁକଙ୍କ ଉପରେ ଲାଗୁନି ଅଙ୍କୁଶ । ଦୁଷ୍କର୍ମ ପାଇଁ ଯେତେ କଡ଼ା ପଦକ୍ଷେପ ନେଲେ ବି ଚେତୁନାହାନ୍ତି ବିକୃତ ମଣିଷମାନେ । ରାଜ୍ୟରେ ଦୁଷ୍କର୍ମ ମାମଲା ପଡ଼ି ରହିଛି କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ ପୀଡ଼ିତା ନ୍ୟାୟ ପାଇ ପାରୁନାହାନ୍ତି । ବାରମ୍ବାର କୋର୍ଟକୁ ଦୌଡ଼ିଲେ ବି କିଛି ସୁଫଳ ମିଳୁନାହିଁ । ତେବେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦୁଷ୍କର୍ମକାରୀଙ୍କୁ ଯେପରି କଠିନ ଦଣ୍ଡ ମିଳିବ ସେଥିପାଇଁ ଖୋଲିବ ଫାଷ୍ଟଟ୍ରାକ୍ କୋର୍ଟ ।

ଦୁଷ୍କର୍ମକାରୀଙ୍କୁ ଆଉ ତ୍ରାହି ନାହିଁ । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ । ଏଥିରୁ ୨୧ ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ଘଟଣା ପାଇଁ କାମ କରିବ । ଅନ୍ୟପଟେ ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ଫାଷ୍ଟଟ୍ରାକ୍ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବେ । ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।

ଏହା ସହିତ ହାଇକୋର୍ଟରେ ବର୍ତ୍ତମାନ ଖାଲିପଡିଥିବା ୧୪ଟି ବିଚାରପତି ପଦ ତୁରନ୍ତ ପୂରଣ କରିବା ପାଇଁ ସେ ଦାବି କରିଛନ୍ତି । କହିଛନ୍ତି, ହାଇକୋର୍ଟରେ ବିଚାରପତି ପଦ ପୂରଣ ହେଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ।