ହେଲମେଟ ନପିନ୍ଧି ବାଇକ ଚଲାଇବା, ମୃତ୍ୟୁକୁ ଖୋଲାଖୋଲି ନିମନ୍ତ୍ରଣ ଦେବା : ୨୦୧୮ରେ ବିନା ହେଲମେଟରେ ଗାଡ଼ିଚାଳନା କରି ଯାଇଛି ୪୩ ହଜାରରୁ ଅଧିକ ଜୀବନ

592

କନକ ବ୍ୟୁରୋ : ବିନା ହେଲମେଟରେ ଗାଡ଼ି ଚାଳନା ବିପଦପୂର୍ଣ୍ଣ । ହେଲେମେଟ୍ ନପିନ୍ଧି ଗାଡ଼ି ଚଳାଇ ପ୍ରତି ବର୍ଷ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ତଥାପି ଚେତୁନାହାନ୍ତି ଲୋକେ । ଗତବର୍ଷ ଦୁର୍ଘଟଣାରେ ପ୍ରାୟ ୪୩ ହଜାର ୬ଶହ ହେଲମେଟ ପିନ୍ଧି ନଥିବା ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ପୂର୍ବବର୍ଷ ତୁଳନାରେ ଏହା ପ୍ରାୟ ୨୧ ପ୍ରତିଶତ ଅଧିକ । ୨୦୧୭ରେ ହେଲମେଟ ପିନ୍ଧି ନଥିବା ୩୫ ହଜାର ୯୭୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟରେ ବିନା ହେଲମେଟରେ ବାଇକ୍ ପଛରେ ବସିଥିବା ୧୫ ହଜାର ୩୬୦ ଜଣଙ୍କର ମୃତ୍ୟୁ ଘଟିଛି ।

ହେଲମେଟର ଗୁରୁତ୍ୱକୁ ଜଣାଇବାକୁ ଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି । ଗୁଜରାଟ ଓ ଝାରଖଣ୍ଡ ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ଉପରୁ ହେଲମେଟ୍ କଟକଣା ହଟାଇଛନ୍ତି । କିନ୍ତୁ ଗତ ବର୍ଷ ଗୁଜରାଟରେ ୯୫୮ ଜଣ ବିନା ହେଲମେଟ ପିନ୍ଧା ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ବାଇକ୍ ପଛରେ ୫୬୦ ଜଣ ବସିଥିଲେ । ସେହିପରି ଝାଡ଼ଖଣ୍ଡରେ ୭୯୦ ଜଣ ବାଇକ୍ ଚାଳକ ଓ ୪୫୦ଜଣ ପଛପଟେ ବସିଥିବା ବ୍ୟକ୍ତି ବିନା ହେଲମେଟ୍ ପିନ୍ଧା କାରଣରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

ନୂଆ ମଟରଯାନ ନିୟମ ଆସିବା ପରେ ଗତ ସପ୍ତାହରେ ଏହି ଦୁଇ ରାଜ୍ୟ ବାଇକ୍ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧାକୁ କୋହଳ କରିଛନ୍ତି । ଉତର ପ୍ରଦେଶରେ ଗତବର୍ଷ ସର୍ବାଧିକ ୬ ହଜାର ୨୦ ଜଣ ଏବଂ ମହାରଷ୍ଟ୍ରରେ ୫ ହଜାର ୨୩୨ ଜଣ ବାଇକ ଚାଳକଙ୍କ ହେଲମେଟ୍ ନପିନ୍ଧିବା କାରଣରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।