ନାବାଳକ ଚଳାଉଥିବା ବାଇକର କଟିଲା ଚାଲାଣ : ୪୨ ହଜାର ୫ ଶହ ଟଙ୍କାର ଚାଲାଣ କାଟିଲେ ଭଦ୍ରକ ଆରଟିଓ,ବିନା ହେଲମେଟରେ ବାଇକରେ ବସିଥିଲେ ୩ ଜଣ 

524

କନକ ବ୍ୟୁରୋ : ନାବାଳକ ବାଇକ୍ ଚାଳକକୁ ବଡ଼୍ ଫାଇନ୍ । ମହାଙ୍ଗା ପଡିଲା ନାବାଳକଙ୍କୁ ଗାଡିଚାଳନା । ନାବାଳକ ଚଳାଉଥିବା ଗାଡ଼ିର ୪୨ ହଜାର ୫ ଶହ ଟଙ୍କାର ଚାଲାଣ କାଟିଲେ ଭଦ୍ରକ ଆରଟିଓ । ରଙ୍ଗ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନଥିବାରୁ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କ ଠାରୁ ଫାଇନ୍ କାଟିଛନ୍ତି ପରିବହନ କର୍ମଚାରୀ ।

ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । ଏହା ସତ୍ତ୍ୱେ ଚେତୁନାହାନ୍ତି ଲୋକେ । ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି । ଗତ ୬ ତାରିଖ ଦିନ ଭଦ୍ରକର ଜଣେ କଲେଜ ଛାତ୍ରଙ୍କ ଠାରୁ ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ ନେଇ ଜୋରିମାନା ଆଦାୟ କରିଛି ଆରଟିଓ । ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ କହରାପୋଖରୀ ଛକ ନିକଟରେ ଗୋଟିଏ ହୀରୋହୁଣ୍ଡା ଗ୍ଲାମର ଗାଡ଼ିରେ ୩ ଜଣ କଲେଜ ଛାତ୍ର ଯିବା ସହ ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ । କେବଳ ଏତିକି ନୁହେଁ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କଲେଜ ଛାତ୍ର ।

ଦ୍ରୁତ ଗାଡ଼ଚାଳନା ଦେଖି ତିନି ଜଣଙ୍କୁ ଅଟକାଇ କାଗଜ ପତ୍ର ଯାଂଚ କରାଯାଇଥିଲା ।  ଗାଡ଼ିରେ ବସିଥିବା ତିନି ଜଣ ଯାକ ଛାତ୍ର ନାବାଳକ ଥିଲେ ବୋଲି ଆଧାର କାର୍ଡ଼ ଦେଖିବା ପରେ ଜଣାପଡ଼ିଥିଲା । ଫଳରେ ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ କରିଥିବାରୁ ୪୨, ୫୦୦୦ ଟଙ୍କା ଫାଇନ୍ କାଟିଥିଲେ ଭଦ୍ରକ ଆଟିଓ ।