ଖେଳଣା ବିକି ପେଟ ପୋଷିବାକୁ ଆସିଥିଲେ . . . . ୨୦ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ୪୦ ଜୀବନ, ଗାଁ’କୁ ଫେରିବାକୁ ଭିକ ମାଗୁଛନ୍ତି

1,030

କନକ ବ୍ୟୁରୋ : ଖେଳଣା ବିକି ପେଟ ପୋଷିବାକୁ ଆସିଥିଲେ । ପ୍ରତିବର୍ଷ ପରି ଏଥର ବି ଖଣ୍ଡଗିରି ମେଳା ପୂର୍ବରୁ ପିଲା ଛୁଆ ସଂସାର ନେଇ ମହାରାଷ୍ଟ୍ର ନାଗପୁରରୁ ଛୁଟି ଆସିଥିଲେ ଖଣ୍ଡଗିରି । ରାଜଧାନୀରେ ବିଭିନ୍ନ ମେଳଣ ସ୍ଥ‌ଳରେ ବେଲୁନ ଓ ଖେଳଣା ବିକି ଭଲ ରୋଜଗାର ବି କରିଥିଲେ । ଆଉ ଦିନ କେଇଟା ପରେ ନିଜ ରାଜ୍ୟକୁ ଲେଉଟିଥାନ୍ତେ। ମାତ୍ର ଫେରିବା ବାଟରେ କଣ୍ଟା ସାଜିଲା ମହାମାରୀ କରୋନା । ଲକ୍‌ଡାଉନ୍‌ ଲାଗୁ ହେବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା। ସବୁ‌ ମେଳା ମହୋତ୍ସବ ପର୍ବ ପର୍ବାଣି ପାଳନ ବନ୍ଦ ହୋଇଗଲା।

ବେପାର ବି ବନ୍ଦ ହେଇଗଲା । ନା ଘରକୁ ଫେରି ପାରି‌ଲେ, ନା‌ ରୋଜଗାର କରିପାରିଲେ। ଶେଷକୁ ଭିକ ମାଗିବା ସ୍ଥିତିରେ ପଡ଼ି ରହିଛନ୍ତି ଖଣ୍ଡଗିରି ବସ୍ ଟର୍ମିନାଲ୍‌ର ମେଲା ଛାତ ତଳେ। ବସ୍ ଭଡ଼ା ବାବଦରେ ୨୦ ହଜାର ଟଙ୍କା ଯୋଗାଡ଼ ହୋଇପାରି‌ଲେ ସେମାନେ ଭିଟାମାଟିକୁ ଫେରିପାରନ୍ତେ। ମାତ୍ର ଯୋଗାଡ଼ ହୋଇପାରୁନି। ତେଣୁ ୨୦ ହଜାର ଟଙ୍କା ପାଇଁ ସେମାନେ ଖଣ୍ଡଗିରିରରେ ବନ୍ଧା ପଡ଼ି ଯାଇଛନ୍ତି।

ମାସେ ହେଲା ସେମାନେ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି। ୪୫ ହଜାର ଟଙ୍କା ହେଲେ ପୁଲିସ ବସ୍ ଯୋଗାଡ଼ କରି ମହାରାଷ୍ଟ୍ର ପଠାଇବ ବୋଲି କହୁଛି। କିନ୍ତୁ ସେମାନେ ୨୫ ହଜାର ଟଙ୍କା ଜମା କରିସାରିଲେଣି। ଆଉ ୨୦ ହଜାର ଟଙ୍କା ଯୋଗାଡ଼ ହୋଇପାରୁନାହିଁ। ଯଦିଓ ପ୍ରଶାସନ ଦୁଇବେ‌ଳା ଖାଇବାକୁ ଦେଇ ଦେଉଛି, ନିଜ ଗାଁ’କୁ ଫେରିବାକୁ ସେମାନେ ବ୍ୟାକୁଳ ହୋଇପଡ଼ିଲେଣି। ଗାଁରେ ଜମିବାଡ଼ି କାମ ଆରମ୍ଭ ହେଲାଣି। ପିଲାଙ୍କ ସ୍କୁଲ ଯିବା ସମୟ ମଧ୍ୟ ହେଲାଣି। ତେଣୁ ସେମାନଙ୍କୁ କେହି ସହଯୋଗ କରିବାକୁ ସେମାନେ ଆକୁଳ ନିବେଦନ କରୁଛନ୍ତି।