କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା : ଅଙ୍ଗନବାଡି ଘରେ ୪ ବର୍ଷର ଶିଶୁକୁ ତାଲା ପକାଇ ଚାଲିଗଲେ ଦିଦି,ଉଦ୍ଧାର ପରେ ଗାଁରେ ଉତ୍ତେଜନା

298

କନକ ବ୍ୟୁରୋ : ଅଙ୍ଗନବାଡି ଗୃହରେ ୪ ଘଂଟାରୁ ଅଧିକ ସମୟ ବନ୍ଦ ରହିଲା କୁନି ପିଲା । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶାସନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯାହା ଚର୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ଶାସନ ଗାଁର ସୁଶାନ୍ତ ମଲ୍ଲିକଙ୍କ ପୁଅ ଆୟୁଷ, ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିଲା । ଛୁଟି ହେବା ପରେ ଅଙ୍ଗନବାଡ଼ି କେନ୍ଦ୍ରର ସବୁ ପିଲା ଘରକୁ ଫେରିଥିଲେ, ହେଲେ ଘରକୁ ଫେରିନଥିଲା ଆୟୁଷ । ପ୍ରାୟ ୪ ଘଂଟା ପରେ ଆୟୁଷର ମାଆ, ପୁଅକୁ ବହୁ ଖୋଜା ଖୋଜି କରି ପୁଅକୁ ପାଇନଥିଲେ । ଶେଷରେ ଖୋଜି ଖୋଜି ଅଙ୍ଗନବାଡି କେନ୍ଦ୍ରରେ ପହଁଚିଥିଲେ । କେନ୍ଦ୍ରରେ ତାଲା ପଡ଼ିଥିଲା । ଅଙ୍ଗନବାଡି କେନ୍ଦ୍ର ଘରେ ତାଙ୍କର ପୁଅ ଥିବା ନେଇ ତାଙ୍କର ସନ୍ଦେହ ହୋଇଥିଲା ।

ତେବେ ଚାବି ଆଣି ତାଲା ଖୋଲିବା ବେଳକୁ ଅଙ୍ଗନବାଡି କେନ୍ଦ୍ର ଘର ଭିତରେ ପୁଅ ଆୟୁଷ ଥିବା ଦେଖିବାକୁ ମିଳିଥିଲା । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଆୟୁଷକୁ ଉଦ୍ଧାର କରାଯାଇଥିଲା । ଅନ୍ଧାର ଘର ଭିତରେ ଏକଲା ଘଂଟା ଘଂଟା ଧରି ରହିଥିଲା କୁନି ପିଲାଟି । ଥରେ ଭାବନ୍ତୁ ଶିଶୁ ଟିର ଅବସ୍ଥା କଣ ହୋଇଥିବ । ଅଙ୍ଗନବାଡି କେନ୍ଦ୍ରରୁ ଆୟୁଷକୁ ଉଦ୍ଧାର ବେଳକୁ ସେ ଅସୁସ୍ଥ ହୋଇପଡ଼ିଥିଲା । ତୁରନ୍ତ ତାକୁୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଅଙ୍ଗନବାଡି ଦିଦିଙ୍କ ଦାୟିତ୍ୱହୀନ ଗୁଣ ଗୁଣ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଶାସନ ଗାଁରେ ଉତେଜନା ଦେଖିବାକୁ ମିଳିଥିଲା ।