ଗଞ୍ଜାମ ବସ୍ ଦୁର୍ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ : ୧୦ ଜଣଙ୍କ ମୃତ୍ୟୁ ପରେ ଚେତା ପଶିଲା, ଦାୟିତ୍ୱରେ ଅବହେଳା ଦର୍ଶାଇ ୪ ଇଞ୍ଜିନିୟରଙ୍କୁ ନିଲମ୍ବିତ କଲେ ସରକାର

333

କନକ ବ୍ୟୁରୋ : ଗଞ୍ଜାମ ଦୁର୍ଘଟଣା ଘଟଣାରେ ସରକାରଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ୪ ଜଣ ଇଞ୍ଜିନିୟର ସସପେଣ୍ଟ । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଓ ଓ ସହକାରୀ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି । ସାଉଥକୋ ଜେଇ ଦେବାଶିଷ ନାୟକ, ଏସଡିଓ ବିଶ୍ୱରଂଜନ ମହାପାତ୍ର ନିଲମ୍ବିତ ହୋଇଛନ୍ତି । ସେହିପରି ଗଂଜାମ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଏ ନେଇ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଲୋକସେବା ଭବନରେ ଏ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗଞ୍ଜାମ ମେନ୍ଦ୍ରାଜପୁର ବସ ଦୁର୍ଘଟଣାର ୧୦ ଜଣ ନୀରିହଙ୍କ ଜୀବନରେ ଅକାଳରେ ଚାଲିଯିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର । ବିଜୁଳି ତାର ଲାଗି ବସ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ଦାୟିତ୍ୱ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଣିକି କୌଣସି ସ୍ଥାନରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଶକ୍ତି ବିଭାଗର ଅନୁମତି ନେବା ଜରୁରୀ । ପିଡବ୍ଲୁଡି, ଏନଏଚ ଓ ଆରଡି ବିଭାଗ ଶକ୍ତି ବିଭାଗ ଠାରୁ ଅନୁମତି ପାଇବା ପରେ ରାସ୍ତା ନିର୍ମାଣ କରିପାରିବେ । ଏହାଛଡା ବିପଦ ସଙ୍କୁଳ ଭାବେ ତାର ଓହଳିଥିବା ସ୍ଥାନ ଗୁଡିକର ଚିହ୍ନଟ କରାଯାଇ, ତାହାର ମ୍ୟାପିଂ କରାଯିବ । ସେହିପରି ନିରାପତା ପାଇଁ କର୍ମଶାଳା ସହ ଜନସଚେତନତା କାମ ହାତକୁ ନିଆଯିବ । ଏହାଛଡା ରାଜ୍ୟର ସମସ୍ତ ଲାଇନମ୍ୟାନ ମାନଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ।

ଗଞ୍ଜାମ ମେନ୍ଦ୍ରାଜପୁର ବସ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଆଜି ରାଜ୍ୟ ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥକୋ । ରିପୋର୍ଟରେ ଗ୍ରାମ ଉନ୍ନୟ ବିଭାଗକୁ ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି । ଜୁଲାଇ ୨୦୧୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମେନ୍ଦ୍ରାଜପୁର ଠାରେ ତିନରୁ ୪ ଫୁଟ ଉଚ୍ଚର କଂକ୍ରିଟ ରାସ୍ତା ନିର୍ମାଣ କରିଥିଲା । ତେଣୁ ଖୁଣ୍ଟରେ ଟଣାଯାଇଥିବା ୧୧ କେଭି ବିଦ୍ୟୁତ ତାର ଓ ରାସ୍ତା ମଧ୍ୟରେ ଉଚ୍ଚତାର ବ୍ୟବଧାନ କମିଯାଇଥିଲା । ଏହାପରେ ସାଉଥକୋ ବିଭାଗର ନିର୍ବାହୀ ଯନ୍ତ୍ରୀ, ଧନ ଜୀବନ ସୁରକ୍ଷା ପାଇଁ ମେନ୍ଦ୍ରାଜପୁରରେ ରାସ୍ତା ଓ ବିଜୁଳି ତାର ମଧ୍ୟରେ ଉଚ୍ଚତା ବୃଦ୍ଧି ପାଇଁ ଏକ ବ୍ୟୟ ଅଟକଳ କରିଥିଲେ । ଆଉ ସେହି ବ୍ୟୟ ଅଟକଳକୁ ୨୦୧୮ ଜୁଲାଇ ୪ ତାରିଖରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଦେଇଥିଲେ । ସେହି ରାସ୍ତାରେ ବସ ଅତିକ୍ରମ କଲାବେଳେ କମ ଉଚ୍ଚରେ ବିଦ୍ୟୁତ ତାର ସଂସସ୍ପର୍ଶରେ ଆସିଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ତଦନ୍ତ କରି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।