ବୋଲ ମାନୁନି ସ୍ୱାଇନ୍ ଫ୍ଲୁ ! ଆଉ ଜଣଙ୍କର ମୃତ୍ୟୁ ସହ ୪ଛୁଇଁଲା ମୃତକଙ୍କ ସଂଖ୍ୟା

29

କନକ ବ୍ୟୁରୋ : ବୋଲ ମାନୁନି ସ୍ୱାଇନ୍‌ ଫ୍ଲୁ । ସ୍ୱାଇନ୍‌ ଫ୍ଲୁରେ ଆଉ ଜଣଙ୍କ ମୁଣ୍ଡ ଗଡ଼ିଛି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୪ଜଣଙ୍କ ମୃତ୍ୟୁ ଘଟିଛି । ଗତ ୪ ଦିନ ଭିତରେ ରାଜ୍ୟରେ ୪ଜଣ ସ୍ୱାଇନ୍‌ ଫ୍ଲୁରେ ପ୍ରାଣ ହରାଇଛନ୍ତି । ଆଜି ମଧ୍ୟ ୧୨ଜଣ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୭୧ଜଣ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସ୍ୱାସ୍ଥ୍ୟ ବିଭାଗ ସ୍ୱାଇନ୍‌ ଫ୍ଲୁ ପାଇଁ ସମସ୍ତ ବ୍ୟବସ୍ଥା କରୁଥିବା କହୁଥିଲେ ହେଁ ଏହା କେବଳ ଧୂଆଁବାଣ ହୋଇଛି ।

ସୂଚନା ଅନୁଯାୟୀ, ମୃତକ ଜଣକ ହେଉଛନ୍ତି ଜଗତସିଂପୁରର ତିର୍ତ୍ତୋଲ ଅଞ୍ଚଳର । ବୟସ ୭୯ବର୍ଷ । ଗତ ୧ତାରିଖରେ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୨ତାରିଖରେ ତାଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା । ତାଙ୍କୁ ରାଜଧାନୀର ଆଉ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାସହ ଆରଏମ୍‌ଆସିକୁ ୨୭ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତହିଁରୁ ୧୨ଟି ନମୁନା ପଜିଟିଭ୍‌ ଥିବା ଜଣାପଡ଼ିଛି । ଏଥିରେ ଜଣେ ଲେଖାଏଁ ନାବାଳକ ଓ ନାବାଳିକା ରହିଛନ୍ତି ।

ଏହି ସମସ୍ତ ଆକ୍ରାନ୍ତ ରାଜଧାନୀର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୨୫୭ଟି ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୭୧ଟି ସ୍ୱାଇନ୍‌ ଫ୍ଲୁ ପଜିଟିଭ୍‌ ଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ପରୁଷ ଥିବା ବେଳେ ୫ଜଣ ମହିଳା ରହିଛି । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାଇନ୍‌ ଫ୍ଲୁର ମୁକାବିଲା କରିବା ପାଇଁ ଔଷଧ ସହିତ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ୨୫ହଜାର ଓସେଲ୍‌ଟାମିଭିର(୭୫ଗ୍ରାମ), ୫ଶହ ବୋତଲ ଓ ସେଲ୍‌ଟାମିଭିର ସିରପ୍‌, ୫ଶହ ଏନ୍‌-୯୫ ମାସ୍କ ଓ ୫ଶହ ପିପିଇ କିଟ୍‌ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।