ଦେଶରେ ଖୋଲିଲା ୩୪୦୦ ଟେଷ୍ଟ ପ୍ରାକ୍ଟିସ୍ ସେଣ୍ଟର : ଉପକୃତ ହେବେ ଉଚ୍ଚଶିକ୍ଷା ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀ
କନକ ବ୍ୟୁରୋ : ଜେଇଇ ମେନ୍, ୟୁଜିସି ନେଟ୍ ପରି ଉଚ୍ଚଶିକ୍ଷା ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିସ୍ ପାଇଁ ସାରା ଦେଶରେ ଖୋଲିଛି ୩୪୦୦ ଟେଷ୍ଟ ପ୍ରାକ୍ଟିସ୍ ସେଣ୍ଟର(ଟିପିସି) । ଦେଶର ୬୨୨ଟି ଜିଲ୍ଲାରେ ଟିପିସିଗୁଡ଼ିକ ଖୋଲାଯାଇଛି । ଯେଉଁଠାରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ଯେଉଁ ପରୀକ୍ଷାର୍ଥୀଙ୍କର କମ୍ପୁଟର କିମ୍ବା ମୋବାଇଲ୍ ଫୋନ୍ ପ୍ରତିବନ୍ଧକ ସାଜୁଛି ସେମାନଙ୍କ ପାଇଁଁ ଏହା ଉପଯୋଗୀ ହେବ । ଚଳିତବର୍ଷଠାରୁ ଜେଇଇ ମେନ୍ ଓ ୟୁଜିିସି ନେଟ୍ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ହେବ। ପେନ୍ ଓ ପେପର୍ ବ୍ୟବସ୍ଥା ରହିବ ନାହିଁ । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା, କପି ରୋକିବା ଦିଗରେ ଏହା ସହାୟକ ହେବ । ତାହାକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ସାରା ଦେଶରେ ଟିପିସି ପ୍ରତିଷ୍ଠା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏନ୍ଟିଏ ପକ୍ଷରୁ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୨୨ଟି ଜିଲ୍ଲାରେ ଟିପିସି ପ୍ରତିଷ୍ଠା ହୋଇଛି । ଯେଉଁଠାରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପୂର୍ବରୁ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି)ର ସୁବିଧା ପାଇବେ । ଜେଇଇ ମେନ୍ ଓ ୟୁଜିସି-ନେଟ୍ ପରୀକ୍ଷାର୍ଥୀଙ୍କ ମକ୍ ଟେଷ୍ଟ କରାଯିବ। ଗୋଟିଏ ଲେଖାଏ କେନ୍ଦ୍ରରେ ୩୦ରୁ ଅଧିକ କମ୍ପ୍ୟୁଟର/ଲାପ୍ଟପ୍ର ବ୍ୟବସ୍ଥା ହୋଇଛି । ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରତି ଶନିବାର ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ତାଲିମ ଦିଆଯିବ । ରବିବାର ଦୁଇଟି ସିଟିଂ ଯଥାକ୍ରମେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ ।
ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗତ ୮ ଓ ୯ ତାରିଖରେ ଦେଶର ୯୬ଟି ଟିପିସିରେ ମକ୍ ଟେଷ୍ଟ କରାଯାଇଛି। ଏଥିରେ ୨୪୫୨ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଓଡ଼ିଶାରେ ଗତ ୧୫ ଓ ୧୬ ତାରିଖରେ ୨ଟି ଲେଖାଏ ଟିପିସିରେ ଛାତ୍ରଛାତ୍ରୀଙ୍କ ମକ୍ ଟେଷ୍ଟ କରିଛନ୍ତି। ଏହାବ୍ୟତୀତ ଗୁଗୁଲି ହାଙ୍ଗ୍ଆଉଟ୍ରେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ୨୫ ଟିପିସିରେ ୧୯୯୪ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଓଡ଼ିଶାର ଗୋଟିଏ କେନ୍ଦ୍ରରେ ୧୦୧ ଜଣ ଅଂଶଗ୍ରହଣ କରିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।