ବଢ଼ୁଛି କରୋନା ସଂକ୍ରମିତଙ୍କ ତାଲିକା : ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ସମସ୍ତ ଆକ୍ରାନ୍ତ ଯାଜପୁରର ସୂଚନା

2,854

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ବଢ଼ିବାରେ ଲାଗିଛି । ଦେଶ ତଥା ରାଜ୍ୟ ଲକଡାଉନରେ ଥିଲେ ସୁଦ୍ଧା ସଂକ୍ରମଣ କମୁନି । ଲୋକେ ଘରେ ଥିଲେ ସୁଦ୍ଧା କମିବା ପରିବର୍ତ୍ତେ ବଢ଼ୁଛି ସଂକ୍ରମଣ । ଆଜି ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ଛୁଇଁଲା । ଆଜି ଚିହ୍ନଟ ହୋଇଥିବା ସମସ୍ତ ପଜିଜିଟ୍ ଯାଜପୁର ଜିଲ୍ଲାର ହୋଇଥିବା ସୂଚନା । ଫଳରେ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୮ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୯ ଜଣ । ଏବଂ ଜଣେ କରୋନା ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଏବେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଥିବା ବେଳେ ଗତକାଲି ରାଜଧାନୀର ଦୀର୍ଘ ଦିନ ବ୍ୟବଧାନରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏବଂ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ । ଅନ୍ୟପଟେ ଗତକାଲି କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଆଦି ୩ ନୂଆ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ଏହାକୁ ମିଶାଇ ରାଜ୍ୟର ମୋଟ ୧୪ ଜିଲ୍ଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛି । ଏହା ବ୍ୟତୀତ ଗତକାଲି ବାଲେଶ୍ବର ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏବେ ଲଗାତାର ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ନିତି ପ୍ରତିଦିନ ସଂକ୍ରମିତ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗୋଟିଏ ପଟେ ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢ଼ିବା ଚିନ୍ତାର ବିଷୟ ।