ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ କର୍ଫ୍ୟୁ ଭଳି କଟକଣା । ୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ୍ । ୨୬ ତାରିଖ ସକାଳ ୧୦ଟା ଯାଏଁ କଟକଣା । ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

528

କନକ ବ୍ୟୁରୋ : ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦୃଷ୍ଟିରୁ ଭୂତାଣୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ତିନି ଜିଲ୍ଲା ପାଇଁ ୬୦ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଗତକାଲି ରାତି ୧୦ଟାରୁ ଆରମ୍ଭ ହୋଇଥିବା ଏହି ସଟ୍ ଡାଉନ୍ ବା କର୍ଫ୍ୟୁ ଭଳି କଟକଣା ୨୬ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ବଳବତର ରହିବ । ଏହି ସମୟରେ ସବୁ କିଛି ବନ୍ଦ ରହିବ । କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

ଏମିତିକି ପନିପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୬୦ ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଦୋକାନ ଖୋଲା ରହିବ । କରୋନା ମୁକାବିଲା ପାଇଁ କରୋନା ଆକ୍ରାନ୍ତ ଟ୍ରେସିଂ କରିବା ସହ ନମୁନା ପରୀକ୍ଷା କରାଯିବ । ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ଅନୁରୁପ ଢ଼ଙ୍ଗରେ ସଟ୍ ଡାଇନ୍ ଘୋଷଣା କରାଯାଇଥିଲା ।
ତେବେ ତିନି ଜିଲ୍ଲାରେ ସଟଡାଉନ ଘୋଷଣା କରିବା ସହିତ କେତେକ ସେବାକୁ ଏଥିରୁ ବାଦ ଦେଇଛନ୍ତି ସରକାର । ଅର୍ଥାତ ଲଡକାଉନ କଟକଣାକୁ କଡାକଡି କରିବା ସହିତ କେତେକ ଅତି ଜରୁରୀ ସେବାକୁ କଟକଣା ମୁକ୍ତ କରାଯାଇଛି ।

ସେଗୁଡିକ ହେଲା
୧- ହସ୍ପିଟାଲ
୨- ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ
୩- ଆଇଟି ସଚିବଙ୍କ ଦ୍ୱାରା ଚିହ୍ନିତ ଟେଲିକମ୍ ସେବା
୪- ପ୍ରଶାସନ ଦ୍ୱାରା ଚିହ୍ନିତ ପେଟ୍ରୋଲ ପମ୍ପ
୫- କାର୍ଗୋ ସେବା ପାଇଁ ରେଳବାଇ ଓ ବନ୍ଦର
୬- ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନିତ ବୈଦ୍ୟୁତିକ ଗଣମାଧ୍ୟମ
୭- କୋଭିଡ-୧୯ ପରିଚାଳନାରେ ସଂପୃକ୍ତ ଆଇଟି ଓ କଲ ସେଂଟର
୮- ପିଇବା ପାଣି, ପରିମଳ ଓ ସ୍ୱରେଜ୍
୯- ବିଦ୍ୟୁତ ଯୋଗାଣ
୧୦- ସରକାରଙ୍କ ଦ୍ୱାରା ଚିହ୍ନିତ ଔଷଧ ଦୋକାନ
୧୧- ମାଲ ପରିବହନ କରୁଥିବା ଯାନବାହାନ
୧୨- କୋଭିଡ୍ -୧୯ ଚିହ୍ନଟ, ପରୀକ୍ଷା , କ୍ୱାରେଂଟିନ, ଆଇସୋଲେସନ ଓ କଂଟେନମେଂଟ ସମ୍ପର୍କୀତ ଗମନାଗମନ
୧୩- ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ୟୁନିଟ୍
୧୪ – ଏହାବାଦ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ସ୍ପଷ୍ଟ କରାଯାଇଛି ।

ତେବେ ଏହି ସଟଡାଉନ ସମୟରେ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ଦଣ୍ଡବିଧାନ କରାଯିବ ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଘୋଷଣା କରିଥିବା ୬୦ ଘଂଟା ସଟଡାଉନକୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଜନସାଧାରଣ ମାନିବାକୁ ଅନୁରୋଧ କରିଛନ୍ତି ପୋଲିସ୍ ଡିଜି । ତେବେ ସଟଡାଉନ ସମୟରେ ଏହି ସବୁ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ମାଲ ପରିବହନ କରୁଥିବା ଗାଡି ଯାତାୟତ କରିପାରିବ ବୋଲି ଅନୁମତି ଦିଆଯାଇଛି ।

ସେପଟେ ସଟଡାଉନ ହେବା ଘୋଷଣା ପରେ ଲୋକମାନଙ୍କୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ମାଇକ ଯୋଗେ ପ୍ରଚାର କରି ଲୋକମାନେ ପଦାକୁ ନବାହାରିବାକୁ କୁହାଯାଇଛି । ଘରୁ ବାହାରକୁ ବାହାରିଲେ ନିୟମ ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ସଟଡାଉନ କଟକଣା ଲାଗୁ ହେବା ପୂର୍ବରୁ ଦୋକାନ ବଜାରରେ ଦେଖିବାକୁ ମିଳିଥିଲା ଲୋକଙ୍କ ଲମ୍ବା ଲାଇନ୍ । ପରିସ୍ଥିତି ଏପରି ହୋଇଥିଲା ଯେ ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ତେଜରାତି ଦୋକାନଠାରୁ ଆରମ୍ଭ କରି ପରିବା ଓ ଅନ୍ୟାନ୍ୟ ଦୋକାନରେ ଲୋକମାନେ ଭିଡ ଜମାଇଥିଲେ । ସବୁଠାରୁ ବଡ କଥା ହେଉଛି ଏହି ସମୟରେ ଲୋକମାନେ ସାମାଜିକ ଦୂରତା ମାନୁନଥିବା ଦେଖାଯାଇଥିଲା । ରାତି ୧୦ଟା ପରେ ସଟଡାଉନ କଟକଣା ଲାଗୁ ହୋଇଥିଲା । ଲୋକଙ୍କୁ ଘଉଡାଇବା ପାଇଁ ମୃଦୁ ଲାଠିଚାଳନା କରିଥିଲା ପୋଲିସ୍ ।