ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୬୬ ପ୍ରତିଶତ ମତଦାନ ! ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

96

କନକ ବ୍ୟୁରୋ : ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ନିର୍ବାଚନରେ ୩୫ ସାଂସଦ ପ୍ରାର୍ଥୀ ଓ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ସାରା ଦେଶରେ ୯୫ ଲୋକସଭା ଆସନରେ ପଡିଛି ଭୋଟ୍ । ସାରାଦେଶରେ ପ୍ରାୟ ୬୮ ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଂଗରେ ସର୍ବାଧିକ ୭୬.୧୯ ପ୍ରତିଶତ ଭୋଟିଂ ହୋଇଛି । ତେବେ ରାଜ୍ୟରେ ମତଦାନ ହାର ୬୬ ପ୍ରତିଶତ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇିଛନ୍ତି । ସେହିପରି ସଂଧ୍ୟା ୫ଟା ସୁଦ୍ଧା କନ୍ଧମାଳରେ ୫୭ ପ୍ରତିଶତ ଓ ସୁନ୍ଦରଗଡରେ ୫୪ ଦଶମିକ୫ ପ୍ରତିଶତ ଭୋଟିଂ ହୋଇଛି ।

ସେପଟେ ବରଗଡରେ ୬୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବଲାଙ୍ଗୀରରେ ୫୦ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ବିଜେପୁରରେ ସଂଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି । ଗୋଟିଏ ଦୁଇଟି ଅଘଟଣକୁ ଛାଡି ଦେଲେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ନିର୍ବାଚନ । କେତେକ ସ୍ଥାନରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭରୁ ଇଭିଏମରେ ସମସ୍ୟା ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା । ତେବେ ମୋଟ୍ ୯ ହଜାର ୧୧୭ ବୁଥରେ ମତଦାନ ହେବାର ଥିବା ବେଳେ ୬ଟି ବୁଥରେ ଭୋଟ ଗ୍ରହଣ ହୋଇପାରିନାହିଁ ।

ସୁନ୍ଦରଗଡ ବିଧାନସଭାର ୨୧୩ ନମ୍ବର ବୁଥ୍, ବଣାଇର ୧୨୯, ଦଶପଲ୍ଲା ବିଧାନସଭାର ୨୧୦ ନମ୍ବର ବୁଥ୍ ଓ ୨୨୨ ନମ୍ବର ବୁଥ୍, ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳିର ୬୮ ବୁଥ୍, ଅତାବିରାର ୨୩୫ ନମ୍ବର ସାନି ମତଦାନ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ । ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନର କ୍ରସ ପେୟାରିଂ ଯୋଗୁଁ ଏହି ସବୁ ବୁଥରେ ଭୋଟିଂ ସଠିକ୍ ପ୍ରକ୍ରିୟାରେ ହୋଇପାରିନଥିଲା । ବିଭିନ୍ନ ମୌଳିକ ସମସ୍ୟାରେ ଘାଂଟି ହେଉଥିବା ବଲାଙ୍ଗୀରର ୩ଟି ଗ୍ରାମବାସୀ ମତଦାନରୁ ବିରତ ରହିଥିଲେ ।