ଭାରତରେ ଏବେ ୨୫ଜଣ କରୋନା ଆକ୍ରାନ୍ତ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସୂଚନା, ସେପଟେ ଭୟରେ ଦିଲ୍ଲୀରେ ୫ଟି ସ୍କୁଲ ବନ୍ଦ

781

କନକ ବ୍ୟୁରୋ : ଭାରତରେ ଏବେ ୨୫ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ସେମାନଙ୍କ ଦେହରେ କରୋନା ପଜିଟିଭ୍ ରହିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ମୋଟ ୨୮ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୧୨ଜଣ ଭାରତୀୟ ହୋଇଥିବାବଳେ ୧୬ ଜଣ ଇଟାଲୀୟ ନାଗରିକ ।

ଇଟାଲୀୟ ନାଗରିକମାନେ ଗତ ମାସରେ ଭାରତକୁ ପର୍ଯ୍ୟଟକ ଭାବେ ବୁଲିବାକୁ ଆସିଥିବାବେଳେ ରାଜସ୍ଥାନ ଜୟପୁରରେ ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହୋଇପଡିଥିଲେ । ଏବଂ ଚିକିିତ୍ସାରୁ ଜଣାପଡିଥିଲେ ଯେ ସେହି ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ ହୋଇଥିଲେ । ତାପରେ ସେହି ଗ୍ରୁପରେ ଥିବା ଅନ୍ୟ ୧୫ ଜଣଙ୍କ ଦେହରୁ କରୋନା ପଜିଟିଭ୍ ବାହାରିଥିଲା । ତେବେ ପ୍ରଥମେ ଏହି ଭାଇରସରେ ସଂକ୍ରମିତ ହୋଇଥିବା କେରଳ ୩ଜଣ ସୁସ୍ଥ ହୋଇ ଫେରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ଦିଲ୍ଲୀରେ କରୋନା ଭାଇରସ ଆତଙ୍କ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି । ସନ୍ଦିଗ୍ଧଙ୍କୁ ଯାଂଚ କରାଯାଉଛି । ସେପଟେ ଦିଲ୍ଲୀ ନୋଏଡାର ଏକ ସ୍କୁଲରେ କରୋନା ଭାଇରସ ଖବର ଆସିବା ପରେ ମୁଖ୍ୟ ମେଡିକାଲ ଅଫିସର ପହଂଚି ଯାଂଚ କରିଛନ୍ତି । ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଦିଲ୍ଲୀ –ଏନସିଆରରେ ୫ଟି ସ୍କୁଲ ବନ୍ଦ ରହିଛି । ଦିଲ୍ଲୀ, ଜୟପୁର ଓ ତେଲେଙ୍ଗାନାରେ ପରେ ଆଗ୍ରାର କିଛି ସନ୍ଦିଗ୍ଧଙ୍କୁ ଦିଲ୍ଲୀ ଅଣାଯାଇଛି । ଆଗ୍ରାରେ ୬ କରୋନା ସଂକ୍ରମିତ ହୋଇଛନ୍ତି । କରୋନାର ମୁକାବିଲା ପାଇଁ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଦିଲ୍ଲୀର ୨୫ଟି ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥ ସହ ଔଷଧ ଓ ଉପକରଣ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।