ଉତ୍ତରାଖଣ୍ଡରେ ଫସି ରହିଛନ୍ତି କେନ୍ଦ୍ରାପଡ଼ା ଜବାହର ନବୋଦୟ ସ୍କୁଲର ୨୪ ଜଣ ଛାତ୍ରଛାତ୍ରୀ : ଗୁପ୍ତକାଶୀ ନବୋଦୟ ସ୍କୁଲକୁ ପଢିବାକୁ ଯାଇ ଅଟକି ରହିଛନ୍ତି ନବମ ଶ୍ରେଣୀର ପିଲା, ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ କଲେ ନିବେଦନ

399

କନକ ବ୍ୟୁରୋ : କେନ୍ଦ୍ରାପଡା ଜବାହର ନବୋଦୟ ସ୍କୁଲର ୨୪ ଜଣ ନବମ ଶ୍ରେଣୀ ଛାତ୍ର ଉତ୍ତରାଖଣ୍ଡରେ ଫସିଯାଇଛନ୍ତି । ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଏହି ଛାତ୍ର । କେନ୍ଦ୍ରାପଡା ଜବାହର ନବୋଦୟ ସ୍କୁଲର ଏହି ଛାତ୍ର ମାଇଗ୍ରେସନରେ ଉତ୍ତରାଖଣ୍ଡ ଗୁପ୍ତକାଶିରେ ଥିବା ନବୋଦ୍ୱୟ ସ୍କୁଲକୁ ପଢିବାକୁ ଯାଇଥିଲେ । ପରୀକ୍ଷା ସରିଥିବାରୁ ଗତ ୨୪ ତାରିଖରେ ସେମାନେ ଓଡିଶା ଫେରିଥାନ୍ତେ । କିନ୍ତୁ ତାଲାବନ୍ଦ ଯୋଗୁଁ ସେମାନେ ଫସିଯାଇଛନ୍ତି । କୋଟାରେ ଫସିଥିବା ଛାତ୍ରଙ୍କ ଭଳି ସେମାନଙ୍କୁ ବି ଫେରାଇ ଆଣିବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି ।

ସେପଟେ ସୁରଟରୁ ଆଉ ୨ଟି ବସରେ ପ୍ରବାସୀ ଓଡିଆ ଫେରୁଛନ୍ତି । ଶ୍ରମିକମାନେ ନିଜ ଉଦ୍ୟମରେ ବସ୍ ଭଡା କରି ଆସୁଛନ୍ତି । ଏବେ ସେମାନେ ସୁରଟରୁ ବାହୁଛନ୍ତି । ଗତକାଲି ଗଂଜାମ ଜିଲ୍ଲାକୁ ସୁରଟରୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକ ନିଜ ନିଜ ଗାଁରେ ପହଂଚିବା ପରେ ସମସ୍ତଙ୍କୁ କ୍ୱାରେନଟିନରେ ରଖାଯାଇଛି ।  ସୁରଟରୁ ୨୨୮ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ୪ଟି ବସ୍ ଗତକାଲି ରାତିରେ ଜିଲ୍ଲାରେ ପହଁଚିଥିଲା । ପୂର୍ବ ନିଷ୍ପତି ଅନୁସାରେ ୨ଟି ବସ୍ ଶେରଗଡରେ ଅନ୍ୟ ୨ଟି ବସ୍ ଧରାକୋଟ୍ ରେ ପହଁଚିବା ପରେ ସମସ୍ତ ବସ୍ ମେଡିକାଲ ଯାଂଚ ସ୍ଥଳକୁ ଅଣାଯାଇଥିଲା ।

ଧରାକୋଟରେ ୧୧୪ ଜଣ ଓ ଶେରଗଡରେ ୧୧୪ ଜଣ ଆଦର୍ଶ ବିଦ୍ୟାଳୟ ପରିସରରେ ସଂଗରୋଧରେ ରହିଛନ୍ତି । ସମସ୍ତଙ୍କୁ ଏଠାରେ ୧୪ ଦିନ ପାଇଁ ସଂଗରୋଧରେ ରଖାଯିବ । କ୍ୱାରେଂଟାଇନ୍ ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ ପ୍ରବାସୀ ଓଡିଆଙ୍କ ରହିବା ଖାଇବା ଠାରୁ ନେଇ ସମସ୍ତ ବ୍ୟବସ୍ଥା ସରକାରଙ୍କ ନିୟମ ମୁତାବକ କରାଯାଇଛି । ଶେରଗଡ ଆଦର୍ଶ ବିଦ୍ୟାଳୟରେ ୨୫ଟି କୋଠରୀରେ ୧୧୪ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ୬ ଜଣ ମହିଳାଙ୍କ ପାଇଁ ଅଲଗା କୋଠରୀ ବ୍ୟବସ୍ଥା କରାଯାଇଛି । ଧରାକୋଟ ବ୍ଲକ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସରେ ସୁରତଫେରନ୍ତା ୧୧୪ ପ୍ରବାସୀ ଓଡିଆଙ୍କୁ ରଖା ଯାଇଛି ।