ଓଡ଼ିଶାର କରୋନା ମୁକାବିଲା : ତାଲାବନ୍ଦ ପାଇଁ ସରକାରଙ୍କ ଘୋଷଣା, ଅତି ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ପରାମର୍ଶ

1,346

କନକ ବ୍ୟୁରୋ : ଓଡ଼ିଶା କରୁଛି କରୋନା ମୁକାବିଲା । ରାଜ୍ୟରେ କରୋନା ପରିସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି । ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ତାଲା ବନ୍ଦ କରାଯିବ । ଏହାସହ ୮ ସହରରେ ମଧ୍ୟ ତାଲା ବନ୍ଦ କରାଯିବ । ଏହି ସହର ଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ । ତେବେ ଏହି ସମୟରେ ଅତି ଆବଶ୍ୟକ ନପଡିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ।

କରୋନାର ନକ୍ ଡାଉନ ପାଇଁ ଲକ୍ ଡାଉନ । ସମସ୍ତେ ସହଯୋଗ କଲେ ଆମେ କରୋନାର ମୁକାବିଲା କରିପାରିବା ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର । ଓଡ଼ିଶାବାସୀଙ୍କ ସୁରକ୍ଷା ସରକାରଙ୍କ ମୁଖ୍ୟ ଦାୟିତ୍ୱ । ଏପର୍ୟ୍ୟନ୍ତ ୭୦ଟି ନମୁନା ପଠାଯାଇଥିଲା । ସେଥିରୁ ୬୯ଟି ନମୁନାର ନେଗେଟିଭ୍ ଆସିଛି । ଆଉ ଗୋଟିଏ ନମୁନାର ରିପୋର୍ଟ ଆସିବାର ବାକି ରହିଛି । ୨ ଜଣ ଆକ୍ରାନ୍ତ ସଂସ୍ପର୍ଶରେ ୫୬ ଜଣ ଆସିଥିଲେ । ସେମାନଙ୍କ ମଧ୍ୟରେ ୫୩ ଜଣଙ୍କ ସହ ଯୋଗାଯୋଗ କରାଯାଇଛି । ଅନ୍ୟ ୩ଜଣଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରାଯାଉଛି ।