କନକ ବ୍ୟୁରୋ : ଏତେ ବଡ଼ ପୃଥିବୀରେ ମଣିଷ ସବୁବେଳେ ନିଜର ସୁଖସ୍ବାଚ୍ଛନ୍ଦ ପାଇଁ ବ୍ୟସ୍ତ । ନିଜେ ରହିବାକୁ ଘର, ନିଜ ପାଇଁ ଖାଦ୍ୟ, ଅତ୍ୟାଧୁନିକ ବ୍ୟବସ୍ଥା କରିବାକୁ ବ୍ୟସ୍ତ ଥିବା ମଣିଷ ପାଖରେ ଆଉ କାହା କଥା ଭାବିବାକୁ ବି ସମୟ ନାହିଁ। ନିଜର ସୁବିଧା ପାଇଁ ମଣିଷ ସମାଜ ପକ୍ଷୀ ବସା ଭାଙ୍ଗିବାକୁ ପଛାଏ ନାହିଁ। ଏଭଳି ଏକ ବସ୍ତୁବାଦୀ ଦୁନିଆରେ କରୋନା କଟକଣାବେଳେ ଘରେ ଆଳସ୍ୟରେ ସମୟ ନ ବିତାଇ କିଛି ଯୁବଗୋଷ୍ଠୀ ବସାହୀନ ପକ୍ଷୀଙ୍କ ପାଇଁ ବସା ସଜାଡ଼ି ଚର୍ଚ୍ଚାକୁ ଆସିଛନ୍ତି। ୩୫ଟି ହାତତିଆରି ବସା ପକ୍ଷୀମାନଙ୍କ ପାଇଁ ରଖିଛନ୍ତି।ଆଖପାଖ ୨୫ଟି ଗାଁରେ ମଧ୍ୟ ଯୁବଗୋଷ୍ଠୀ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଅନୁପ୍ରାଣିତ ହୋଇ ୨୩୫ଟି ପକ୍ଷୀ ବସା ପ୍ରସ୍ତୁତ କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଜଡିଚାତର ଗାଁର ଏହି ଗତ କିଛି ମାସ ଧରି କରୋନା କଟକଣା ପାଇଁ ଗାଁ ବାହାରକୁ ଯାଇ ପାରୁ ନ ଥିଲେ। କିଛି ଭଲ କାମ କରିବାକୁ ଅଣ୍ଟା ଭିଡ଼ିବା ବେଳେ ପିକକ୍ ଅନୁଷ୍ଠାନ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା। ପରେ ଆରମ୍ଭ କରିଥିଲେ ପକ୍ଷୀଙ୍କର ଘର ସଜଡ଼ା କାର୍ଯ୍ୟକ୍ରମ। ଗାଁ ନିକଟ ବିଭିନ୍ନ ବାଡି ବଗିଚା ଏବଂ ଜଙ୍ଗଲରେ ବଣି, କାଉ, କୁମ୍ଭାଟୁଆ ଭଳି ପକ୍ଷୀଙ୍କ ପାଇଁ ବସା ସଜାଡିଥିଲେ। ଗାଁର ଏକାଧିକ ଯୁବକ ମିଳିତ ଭାବେ ୩୫ଟି ହାତ ତିଆରି ବସା ପ୍ରସ୍ତୁତ କରି ବିଭିନ୍ନ ଗଛରେ ରଖିଛନ୍ତି ଯେଉଁଥିରେ ଉଡ଼ି ଯାଉଥିବା ପକ୍ଷୀ ଆଶ୍ରା ନେଇଛନ୍ତି।