ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କଲେ ପ୍ରଧାନମନ୍ତ୍ରୀ : କରୋନା ମୁକାବିଲା ପାଇଁ ଘରୁ ନବାହାରିବାକୁ କଲେ ଅନୁରୋଧ, ନିଜ ସହ ନିଜ ପରିବାର ପାଇଁ ଘରେ ରହିବାକୁ ଦେଲେ ପରାମର୍ଶ

860

କନକ ବ୍ୟୁରୋ : ୨୧ ଦିନ ପାଇଁ ସାରା ଭାରତରେ ତାଲା ବନ୍ଦ । କରୋନାକୁ ନେଇ ଭାରତ ଯେଉଁ ସଙ୍କଟଜନକ ସ୍ଥିତିରେ ଗତି କରୁଛି ସେତିକିବେଳେ ଏହାର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରରୁ ୨୧ଦିନର ଲକ-ଡାଉନ ବା ତାଲା ବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୨୧ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ । ଜନତା କର୍ଫ୍ୟୁ ଠାରୁ ବି ଏହା ଅଧିକ କଡାକଡି ହେବ । ଘରେ ରହିବା ସମୟରେ ସମସ୍ତ ନିୟମକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ଯଦି ଏହି ୨୧ ଦିନ ସଂଜମତାର ସହିତ ଭାରତୀୟମାନେ ନରହିବେ, ନ ସମ୍ଭାଳିବେ, ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି କହିଛନ୍ତି ମୋଦି । ଘର ଆଗରେ ଟଣାଯାଇଥିବା ଏହି ଲକ୍ଷ୍ମଣରେଖାକୁ ନ ଡେଇଁବା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

୨୧ ଦିନ ପାଇଁ ସାରା ଭାରତରେ ତାଲା ବନ୍ଦ ପାଇଁ ଘୋଷଣା ହେବା ପରେ ଜରୁରୀକାଳିନ ସେବା ପାଇଁ ଜାରି ହୋଇଛି ଗାଇଡଲାଇନ । ତାଲା ବନ୍ଦ ସମୟରେ ହସ୍ପିଟାଲ, ପେଟ୍ରୋଲ ପମ୍ପ, ଗ୍ୟାସ୍, ମେଡ଼ିସିନ୍ ଷ୍ଟୋର, ରାସନ୍ ଦୋକାନ, କ୍ଷୀର ଦୋକାନ ଭଳି ଜରୁରୀକାଳିନ ସେବା ଓ ସୁବିଧା ଖୋଲା ରହିବି । ସେହିପରି ପରିବା ଦୋକାନ, ଫଳ ଦୋକାନ, ବ୍ୟାଙ୍କ, ବୀମା, ଏଟିମ୍ ଭଳି ସୁବିଧାରେ ମିଳିପାରିବ । ତେବେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ । ସ୍କୁଲ କଲେଜ ଟ୍ରେନିଂ ସେଂଟର ବନ୍ଦ ରହିବ । ଏହି ତାଲାବନ୍ଦ ସମୟରେ ସବୁ ପ୍ରକାର ପରିବହନ ବନ୍ଦ ରହିବ । ତେବେ ଗଣମାଧ୍ୟମ ପାଇଁ କଟକଣା ଲାଗୁ ହେବ ନାହିଁ । ସମସ୍ତ ଶିଳ୍ପ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପ ପ୍ରତିଷ୍ଠାନ ଚାଲୁ ରହିବ । ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କଠୁ ଅନୁମତି ନେବାକୁ ପଡିବ । ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିବ । କେବଳ ଦୈନିକ ଆବଶ୍ୟକୀୟ ନୀତି ସମ୍ପାଦନ କରାଯିବ । ଶବ ସଂସ୍କାରରେ ୨୦ ଜଣରୁ ଅଧିକ ଏକାଠି ରହି ପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ଏହା ସହ ଏହି କଟକଣାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛନ୍ତି । ସାରା ଦେଶରେ ଏହି କଟକଣା ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ।