କନକ ବ୍ୟୁରୋ : ଦୀର୍ଘ ୭୦ ବର୍ଷର ଆଇନଗତ ଲଢେଇ । ସାତ ସାତ ଥରର ମଧ୍ୟସ୍ଥତା ପ୍ରୟାସ । କୋଟି କୋଟି ଦେଶବାସୀଙ୍କ ଆକାଂକ୍ଷାର ଅବସାନ ଘଟାଇ ଐତିହାସିକ ନଭେମ୍ବର ୯ ତାରିଖରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଲେ ଅଯୋଧ୍ୟାର ବିବାଦୀୟ ଜମିରେ ହେବ ମନ୍ଦିର । ୨ ଦଶମିକ ୭୭ ଏକର ଜମିକୁ ରାମ ଜନ୍ମଭୂମୀ ନ୍ୟାସକୁ ହସ୍ତାନ୍ତର କରିବା ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ମୁସଲମାନ ପକ୍ଷରୁ ମସଜିଦ୍ ନିର୍ମାଣ ପାଇଁ ବିକଳ୍ପ ସ୍ଥାନ ଯୋଗାଇଦେବା ପାଇଁ ମଧ୍ୟ କହିଥିଲେ । ଅଯୋଧ୍ୟାରେ ସୁନ୍ନି ୱାକଫ୍ ବୋର୍ଡକୁ ୫ ଏକର ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

Advertisment

ଅଯୋଧ୍ୟାକୁ ନେଇ ‘ସୁପ୍ରିମ’ ଫଇସଲା । ବିବାଦୀୟ ସ୍ଥଳରେ ହେବ ରାମ ମନ୍ଦିର । ଭାରତୀୟ ନ୍ୟାୟିକ ଇତିହାସରେ ସବୁଠାରୁ ଦୀର୍ଘ ସମୟଧରି ଚାଲିଥିବା ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଆସିଲା  । ପ୍ରାୟ ୭୦ ବର୍ଷ ପରେ ଅଯୋଧ୍ୟା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଆସ୍ଥା ଓ ବିଶ୍ୱାସ ବନାମ ଜମି ମାଲିକାନାରେ ପରିଣତ ହୋଇଥିବା ଏହି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ, ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟାଇଲା ।

ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ୧୪ଟି ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ଅଗଷ୍ଟ ୬ ତାରିଖରୁ ପ୍ରତିଦିନିଆ ଶୁଣାଣି କରି ଅକ୍ଟୋବର ୧୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ମାମଲାର ତିନିଟି ପକ୍ଷଥିଲେ - ରାମଲଲ୍ଲା ବିରାଜମାନ, ନିର୍ମୋହୀ ଆଖଡା ଓ ସୁନ୍ନି ୱାକଫ ବୋର୍ଡ ।

ଅଯୋଧ୍ୟାର ଏହି ବିବାଦୀୟ ସ୍ଥଳରେ ୧୫୨୮ ମସିହାରୁ ଏକ ମସଜିଦ୍ ଥିଲା । ମୋଗଲ ସମ୍ରାଟ ବାବରଙ୍କ ଦ୍ୱାରା ଏହି ମସଜିଦ ନିର୍ମାଣ କରାଯାଇଥିବାବେଳେ ୧୯୯୨ରେ ହିନ୍ଦୁମାନେ ଭାଙ୍ଗିଦେଇଥିବା କହି ଜମିର ମାଲିକାନା ଦାବି କରୁଥିଲା ସୁନ୍ନି ୱାକଫ ବୋର୍ଡ । ତେଣୁ ସାଂପ୍ରଦାୟିକ ସଦଭାବକୁ ଅକ୍ଷୁଣ୍ଣ ରଖି ସୁପ୍ରିମକୋର୍ଟ ମୁସଲମାନ ପକ୍ଷକୁ ସୁହାଇଲା ଭଳି ରାୟ ମଧ୍ୟ ଦେଇଛନ୍ତି ।

ଅଯୋଧ୍ୟା ରାୟ :
- ସେହି ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବେ କେନ୍ଦ୍ର ସରକାର
- ୫ ଏକର ଜାଗା ଚିହ୍ନଟ କରି ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ହସ୍ତାନ୍ତର କରାଯିବ
- ବାବ୍ରି ମସଜିଦ ଉପରେ ସୁନ୍ନି ବୋର୍ଡ ଅଧିକାର ବିରୋଧରେ ସିହା ବୋର୍ଡର ଆବେଦନ ଖାରଜ

ମୋଟ ୧ ହଜାର ୪୫ ପୃଷ୍ଠାର ରାୟକୁ ୩୦ ମିନିଟରେ ପଢି ଶୁଣାଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବାବେଳେ ସର୍ବସମ୍ମତିରେ ଶନିବାର ଐତିହାସିକ ରାୟ ପ୍ରକାଶ କରିଛନ୍ତି ।