ଇକୋନମିକ୍ ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶାରେ ଗରିବି ହାର ହ୍ରାସ ପାଇଛି ! ବିଧାନସଭାରେ ସୂଚନା ଦେଲେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ

19

କନକ ବ୍ୟୁରୋ : ଓଡିଶାରେ ଗରିବି ହାର ଦ୍ରୁତ ଗତିରେ ହ୍ରାସ ପାଇଛି । ଓଡିଶା ଇକୋନମିକ୍ ସର୍ଭେ ରିପୋର୍ଟ ୨୦୧୬-୧୭ ଅନୁଯାୟୀ ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା ଜିଏସଡିପି ଅଭିବୃଦ୍ଧି ହାର ରହିଛି ୭ ଦଶମିକ ୯୪ ପ୍ରତିଶତ । ଶନିବାର ବିଧାନସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ । ଜାତୀୟ ଜିଏସଡିପି ଅଭିବୃଦ୍ଧି ହାର ୭ ଦଶମିକ ୧ ପ୍ରତିଶତ ଥିବା ବେଳେ ସେହି ତୁଳନାରେ ରାଜ୍ୟରେ ଏହା ଅଧିକ ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୭ ହଜାର ୬୩୨ ଟଙ୍କା ଥିବା ବେଳେ ସେହି ତୁଳନାରେ ୨୦୧୬-୧୭ରେ ମୁଣ୍ଡପିଛା ଆୟ ୬୧ ହଜାର ୬୭୮ ଟଙ୍କାକୁ ବୃଦ୍ଧି ହୋଇଛି । ଯେତେବେଳେ କି ଜାତୀୟ ସ୍ତରରେ ଏହି ଅଭିବୃଦ୍ଧି ହାର ଅପେକ୍ଷାକୃତ କମ୍ ଅର୍ଥାତ୍ ୬ ଦଶମିକ ୫ ପ୍ରତିଶତ ରହିଛି । ୨୦୧୧-୧୨ରେ ଦେଶର ମୁଣ୍ଡପିଛା ଆୟ ୭୭ ହଜାର ୫୨୪ ଟଙ୍କା ଥିବାବେଳେ ୨୦୧୬-୧୭ ସୁଦ୍ଧା ଏହା ୮୧ ହଜାର ୮୦୫ ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଗତ ୫ ବର୍ଷରେ ରାଜ୍ୟ ସରକାରଙ୍କ ମୋଟ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ବୃଦ୍ଧି ହୋଇଛି । ଇକୋନମିକ୍ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୧୧-୧୨ ବର୍ଷରେ ଏହା ୧୮ ଦଶମିକ ୪୮ ପ୍ରତିଶତ ଥିବା ବେଳେ ବର୍ତମାନ ଏହା ୨୪ ଦଶମିକ ୮୨ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୮ ବର୍ଷରେ ୮୨ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।